Friday, March 27, 2026
25.4 C
Odisha

    ବିଜେଡି ପାଇଁ ବଡ଼ ସଂପତ୍ତି ମହିଳା ଭୋଟ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଉଷ୍ମତା ପାଇଁ ପୌଷ‌‌‌ରେ ବି ଦେହକୁ ଶୀତ କାଟୁ କରୁନି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳଗୁଡ଼ିକ ଅଙ୍କକଷା ଆରମ୍ଭ କରିଦେଲେଣି। ନିର୍ବାଚନମଣ୍ଡଳୱାରୀ କେଉଁ ସମସ୍ୟାକୁ ଆଗକୁ ଅଣାଯିବ ଓ କେଉଁ ପ୍ରସଙ୍ଗକୁ ନେଇ ଭୋଟ୍‌‌ ହାତେଇ ହେବ, ତାହାର ତାଲିକା ପ୍ରସ୍ତୁତି ଜୋରସୋର୍‌‌ରେ ଚାଲିଛି। ତେବେ ସଦ୍ୟ ପ୍ରକାଶିତ ଚୂଡ଼ାନ୍ତ ଭୋଟର୍‌ ତାଲିକାରେ ମହିଳା ଭୋଟର୍‌ଙ୍କ ସଂଖ୍ୟା ଓ ଅନୁପାତ ବଢ଼ିଥିବାରୁ ଏହାକୁ ନେଇ ଦଳଗୁଡ଼ିକ ଅଧିକ ଉତ୍ସାହୀ ହୋଇପଡ଼ିଛନ୍ତି। ଗତ କିଛି ନିର୍ବାଚନରେ ଓଡ଼ିଶାରେ ମହିଳା ଭୋଟ୍‌‌ ନିର୍ଣ୍ଣାୟକ ସାଜୁଥିବାରୁ ଆସନ୍ତା ନିର୍ବାଚନରେ ମହିଳାଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଦଳଗୁଡ଼ିକ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ରାଜ୍ୟରେ ମୋଟ ୩କୋଟି ୩୨ଲକ୍ଷ ୩୬ହଜାର ୩୬୦ ଜଣ ଭୋଟର୍‌ ଅଛନ୍ତି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧କୋଟି ୬୮ଲକ୍ଷ ୫୦ହଜାର ୯୪୯ଜଣ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧କୋଟି ୬୩ଲକ୍ଷ ୮୨ହଜାର ୩୧। ଗତ ସାଧାରଣ ନିର୍ବାଚନ ହେଉ ଅବା ପଞ୍ଚାୟତ ଓ ପୌର ନିର୍ବାଚନ‌; ରାଜ୍ୟରେ ସିଂହଭାଗ ମହିଳା ଭୋଟ୍‌‌ ବିଜେଡି ନିଜ ସପକ୍ଷରେ ନେଉଥିବା ଦଳ ଦାବି କରିଆସୁଛି। ମୁଖ୍ୟତଃ ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମାନ, ମିଶନ୍‌ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣ, ବିଧାନସଭା ଓ ସଂସଦରେ ମହିଳାଙ୍କ ସଂରକ୍ଷଣ ଆଦି ପ୍ରସଙ୍ଗରେ ଦଳର ଉଲ୍ଲେଖନୀୟ କାମ ପାଇଁ ବିଜେଡି ନିଜର ମହିଳା ଭୋଟ୍‌‌ବ୍ୟାଙ୍କକୁ ସୁଦୃଢ଼ କରିଚାଲିଛି। ଏଥିଯୋଗୁଁ ମହିଳା ଭୋଟ୍‌ ବିଜେଡି ପାଇଁ ଏକ ବଡ଼ ସଂପତ୍ତି ଭାବେ ବିବେଚନା କରାଯାଉଛି। ଲକ୍ଷ୍ମୀ’ ବସ୍‌‌ରେ ୫ଟଙ୍କାରେ ଭଡ଼ା, ମହିଳାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅତିରିକ୍ତ ୫ଲକ୍ଷ ଟଙ୍କାର ବୀମା, ମିଶନ୍‌ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୫ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ, ମମତା ଓ ଅନ୍ୟ ମହିଳା କୈନ୍ଦ୍ରିକ ଯୋଜନା ପାଇଁ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ବିଜେଡି ଏମିତିରେ ବହୁ ପାଦ ଆଗରେ ରହିଛି ବୋଲି ରାଜନୈତିକ ମହଲ ଦାବି କରୁଛନ୍ତି। ତେଣୁ ଏହାକୁ ଆଧାର କରି ମହିଳା ଭୋଟ୍‌ ହାତେଇବା ଦଳ ପାଇଁ ସହଜ ହେବ ବୋଲି ସେମାନେ କହିଛନ୍ତି। ଏହା ବ୍ୟତୀତ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ପକ୍ଷରୁ ୫୦ ପ୍ରତିଶତରୁ ଅଧିକ ଆସନରେ ମହିଳା ନେତୃତ୍ୱଙ୍କୁ ଶାସନର ଡୋରି ଦିଆଯାଇଥିବାରୁ ଏହା ମଧ୍ୟ ଦଳ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।

    ଅନ୍ୟପଟେ ବିଜେପି ମଧ୍ୟ ରାଜ୍ୟର ୫୦ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ୍‌‌ ନେବାକୁ ରଣନୀତି ପ୍ରସ୍ତୁତ କରିଛି। ଏଥିପାଇଁ ଦଳ ମହିଳା ଭୋଟର୍‌ଙ୍କୁ ଆୟୁଧ କରିବାକୁ ଜୋରଦାର ପ୍ରୟାସ ଚଳାଇଛି। କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା ଓ ବେଟି ବଚାଓ ବେଟି ପଢ଼ାଓ ଏବଂ ଜନଧନ ଆକାଉଣ୍ଟ ଖୋଲିବା ଭଳି ପ୍ରସଙ୍ଗକୁ ନେଇ ମହିଳାଙ୍କ ଭୋଟ୍‌‌ ହାତେଇବା ପାଇଁ ଦଳ ଚେଷ୍ଟା କରିବ ବୋଲି କୁହାଯାଉଛି। ସମାନ ଭାବେ କଂଗ୍ରେସ ମଧ୍ୟ ଅଧିକରୁ ଅଧିକ ମହିଳାଙ୍କୁ ନିଜ ପକ୍ଷକୁ ନେବା ପାଇଁ ଏଆଇସିସି ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଆଇସିସି ପକ୍ଷରୁ ରାଜ୍ୟରେ ମହିଳା ଭୋଟର୍‌ଙ୍କ ନିକଟତର ହେବା ଓ ଅଧିକରୁ ଅଧିକ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା କଥା ଚିନ୍ତା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ