Tuesday, October 13, 2026
26.9 C
Odisha

    ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ ନିବେଶକ; ୧୦୭୯କୋଟିର ସବୁଜ ଶକ୍ତିର ନିବେଶ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟକୁ ସବୁଜ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାବେ ଗଢ଼ିତୋଳିବା ସହ ଧାର୍ଯ୍ୟ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାର ସକାରାତ୍ମକ ଭାବେ କାର୍ଯ୍ୟ କରୁଛନ୍ତି। ବିଶେଷକରି ରାଜ୍ୟ ସରକାରଙ୍କ ସବୁଜଶକ୍ତି ନୀତି ଏ କ୍ଷେତ୍ରରେ ବେଶ୍‌‌ ପ୍ରଭାବଶାଳୀ ହୋଇପାରିଛି। ରାଜ୍ୟରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସାଙ୍ଗକୁ ସବୁଜ ଶକ୍ତି ନୀତି ନିବେଶକଙ୍କୁ ରାଜ୍ୟକୁ ଆକୃଷ୍ଟ କରୁଛି। ଏହି କ୍ରମରେ ମେସର୍ସ ଏନଏଚ୍‌‌ପିସି ଲିମିଟେଡ୍‌ ରେଙ୍ଗାଲି ଜଳଭଣ୍ଡାରର ଅପ୍‌‌-ଷ୍ଟ୍ରିମ୍‌, ଜଳଭଣ୍ଡାରର ତଳମୁଣ୍ଡ ଏବଂ ଅପର ଜଳଭଣ୍ଡାରର ଗୁରାଣ୍ଡିଖୋଲ ନିକଟରେ ପମ୍ପ ଷ୍ଟୋରେଜ୍‌ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ସ୍ଥାପନ ପାଇଁ ଇଚ୍ଛା ପ୍ରକାଶ କରିଛି।
    ମିଳିଥିବା ସୂଚନାନୁଯାୟୀ, ପ୍ରକଳ୍ପ ସ୍ଥାପନ ନିମନ୍ତେ ଉକ୍ତ କମ୍ପାନୀ ପକ୍ଷରୁ ତିନିମାସ ଧରି ପ୍ରି-ଫିଜିବିଲିଟି ସର୍ଭେ କରିବାକୁ ବିଧିବଦ୍ଧ ଭାବେ ଶକ୍ତି ବିଭାଗ ନିକଟରେ ଅନୁରୋଧ କରାଯାଇଥିଲା। ଶକ୍ତି ବିଭାଗ ଏନେଇ ଜଳସମ୍ପଦ ବିଭାଗ ସହ ଯୋଗାଯୋଗ କରିବା ପରେ ପ୍ରକ୍ରିୟା ଆଗକୁ ବଢ଼ିଛି। ବିଭାଗୀୟ ଅନୁସଚିବ ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ଏହି ପ୍ରସ୍ତାବର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କହିଛନ୍ତି। ରିପୋର୍ଟ ମିଳିବା ପରେ ଉକ୍ତ କମ୍ପାନୀକୁ ସର୍ଭେ କରିବାକୁ ଅନୁମତି ପ୍ରଦାନ କରାଯିବ। ଯଦି କମ୍ପାନୀ ପକ୍ଷରୁ ପମ୍ପ ଷ୍ଟୋରେଜ୍‌ ପ୍ରକଳ୍ପ ପ୍ରତିଷ୍ଠା ହୁଏ, ତାହେଲେ ଏହା ସବୁଜ ଶକ୍ତି କ୍ଷେତ୍ରରେ ଆଉ ଏକ ସଫଳତା ହେବ ବୋଲି କୁହାଯାଉଛି।
    ସୂଚନାଯୋଗ୍ୟ ଯେ କେବଳ ଜଳବିଦ୍ୟୁତ୍‌‌ ନୁହେଁ, ଅକ୍ଷୟଶକ୍ତି କ୍ଷେତ୍ରରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ନିବେଶ ପାଇଁ କ୍ରମାଗତ ପ୍ରସ୍ତାବ ଆସୁଛି। ନିକଟରେ ରାଜ୍ୟରେ ନବୀକରଣଯୋଗ୍ୟ ଶକ୍ତି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଗଠିତ ସିଙ୍ଗଲ ୱିଣ୍ଡୋ କମିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜ୍ୟରେ ୧୦୭୯.୬୨ କୋଟି ଟଙ୍କାର ସବୁଜ ଶକ୍ତି ସମ୍ପର୍କିତ ନିବେଶ ପ୍ରସ୍ତାବକୁ କମିଟି ଅନୁମୋଦନ ଦେଇଥିବା ବେଳେ ଏହାଦ୍ୱାରା ରାଜ୍ୟରେ ମୋଟ ୧୧୨.୫୩ ମେଗାୱାଟ କ୍ଷମତା ବିଶିଷ୍ଟ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଅନୁମୋଦନ ମିଳିଥିବା ପ୍ରକଳ୍ପ ମଧ୍ୟରେ ୩୦ ମେଗାୱାଟ୍‌‌ ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ, ୧୯.୫୩ ରୁଫ୍‌‌ଟପ୍‌ ସୋଲାର୍‌ ପ୍ରକଳ୍ପ ଏବଂ ୬୩ ମେଗାୱାଟ୍‌‌ ବିଶିଷ୍ଟ ବୃହତ୍‌‌ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ରହିଛି।
    ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ବର୍ତ୍ତମାନ ରୁଫ୍‌‌ଟପ୍‌‌ ସୋଲାର ପ୍ରକଳ୍ପ, ଜଳ ବିଦ୍ୟୁତ୍‌‌ ପ୍ରକଳ୍ପ ସହ ପମ୍ପ ଷ୍ଟୋରେଜ୍‌ ଜଳ ବିଦ୍ୟୁତ୍‌‌ ପ୍ରକଳ୍ପରୁ ଅଧିକରୁ ଅଧିକ ପରିମାଣରେ ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ