Monday, September 28, 2026
27.5 C
Odisha

    ଟସର ଚାଷ’କୁ ପ୍ରୋତ୍ସାହନ: ସଶକ୍ତ ହେଉଛନ୍ତି ଚାଷୀ

    ଆଗକୁ ପଢନ୍ତୁ

    କେନ୍ଦୁଝର: ଟସର ହେଉଛି ଏକ ଲାଭଜନକ ଚାଷ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଇ ଚାଷୀମାନଙ୍କ ଜୀବିକାକୁ ସୁଦୃଢ଼ କରାଯାଉଛି। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନେର ଥିବା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି।

    କେନ୍ଦୁଝର ଜିଲ୍ଲାର ତେଲକୋଇ, ହରିଚନ୍ଦନପୁର, ଘଟଗାଁ ଏବଂ ବାଂଶପାଳ ବ୍ଲକରେ ବ୍ୟାପକ ଭାବେ ଟସର ଚାଷ କରାଯାଉଛି। ୩ ହଜାରରୁ ଅଧିକ ଚାଷୀ ଏହି ଚାଷ ସହିତ ଯୋଡ଼ି ହୋଇଛନ୍ତି। ଉନ୍ନତ ଉପାୟରେ ଟସର ଚାଷ କରି ସେମାନେ ବାର୍ଷିକ ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି।

    ଚାଷୀମାନଙ୍କୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇଦେବା ଲାଗି ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟ ଅଧୀନରେ ୧୩ଟି ଟସର ସେବା ସମବାୟ ସମିତି (ଟିଆରସିଏସ୍) ରହିଛି। ଜିଲ୍ଲା ରେଶମ କାର୍ଯ୍ୟାଳୟର ତତ୍ତ୍ୱାବଧାନରେ ଏହି ଚାଷ କରାଯାଉଛି।
    ‘‘ଆଗରୁ ମୁଁ ଟସର ଚାଷ କରୁଥିଲି। ହେଲେ ଭଲ ଲାଭ ମିଳୁ ନଥିଲା। ଏହି ଚାଷ ପାଇଁ ଏବେ ଓମ୍ବାଡସି ବିଭିନ୍ନ ସହାୟତା ଯୋଗାଇ ଦେବାରୁ ଉନ୍ନତ ମାନର ଟସର ଖୋସା ଉତ୍ପାଦନ ହୋଇପାରୁଛି। ଗତ ବର୍ଷ ମୁଁ ଏହି ଟସର ଚାଷରୁ ଦେଢ଼ ଲକ୍ଷ ଟଙ୍କା ପାଇଛି’’, କହିଛନ୍ତି ହରିଚନ୍ଦନପୁର ବ୍ଲକର ଜଣେ ଚାଷୀ ମାଳତୀ ଟୁଡୁ। ‘‘୭ ବର୍ଷ ହେଲା ମୁଁ ଟସର ଚାଷ କରୁଛି। ଏଥିପାଇଁ ଉନ୍ନତ ମାନର ବିହନ ମିଳୁଛି। ତା’ଛଡ଼ା ଜଙ୍ଗଲରେ ପୋକ ଛାଡ଼ିବାଠୁ ଟସର ଖୋସା ଉତ୍ପାଦନ ହେବା ଯାଏଁ ଆମକୁ ବିଭିନ୍ନ ସମୟରେ ସହାୟତା ମିଳୁଛି। ଖୋସା ବିକ୍ରି ପାଇଁ ସରକାର ଭଲ ବ୍ୟବସ୍ଥା ମଧ୍ୟ କରିଛନ୍ତି’’, କହିଛନ୍ତି ହରିଚନ୍ଦନପୁର ବ୍ଲକର ଆଉ ଜଣେ ଟସର ଚାଷୀ ଈଶ୍ୱର ଚନ୍ଦ୍ର ମାର୍ଣ୍ଡି।

    ଟସର ଚାଷ ସାଧାରଣତଃ ଅର୍ଜୁନ ଓ ଅସନ ଗଛରେ କରାଯାଇଥାଏ। ଏହି ଚାଷ ପାଇଁ ଆବଶ୍ୟକ ଚୂନ, ବ୍ଲିଚିଂ ଓ କୀଟନାଶକ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି ଓମ୍ବାଡସି। ସେହିପରି ଟସର ଚାଷ ଲାଗି ମୁଖ୍ୟ ଉପାଦାନ ହେଲା ରୋଗମୁକ୍ତ ଅଣ୍ଡା। ଚାଷୀଙ୍କୁ ସୁସ୍ଥ ଅଣ୍ଡା ଯୋଗାଇଦେବା ଲାଗି ଜିଲ୍ଲାରେ ରହିଛି ୩ଟି ପାଇଲଟ ପ୍ରୋଜେକ୍ଟ ସେଣ୍ଟର (ପିପିସି)। ଏହି କେନ୍ଦ୍ରଗୁଡ଼ିକର ଉପଯୁକ୍ତ ପରିଚାଳନା ପାଇଁ ମଧ୍ୟ ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଉଛି।

    ଚାଷୀମାନେ ପିପିସିରୁ ଅଣ୍ଡା ଆଣିବା ପରେ ଏହାକୁ ଅସନ ଓ ଅର୍ଜୁନ ଗଛର ଡାଳ ସହ ରଖି ଦିଅନ୍ତି। ଅଣ୍ଡାରୁ ପୋକ ବାହାରିବା ପରେ ସେଗୁଡ଼ିକୁ ନେଇ ଅସନ ଓ ଅର୍ଜୁନ ଗଛରେ ଛାଡ଼ି ଦିଆଯାଏ। ପୋକ ବଡ଼ ହୋଇ ଗଛରେ ଖୋସା ବାନ୍ଧିବା ଆରମ୍ଭ କରିଥାଏ। ୧୦ରୁ ୧୫ ଦିନ ପରେ ଚାଷୀ ଗଛରୁ ଖୋସା ସଂଗ୍ରହ କରି ଟିଆରସିଏସକୁ ବିକ୍ରି କରିଥାନ୍ତି। ଟିଆରସିଏସରେ ଖୋସାଗୁଡ଼ିକର ଷ୍ଟାଫଲିଂ ଓ ଗ୍ରେଡିଂ ପାଇଁ ଓମ୍ବାଡସି ପାଣ୍ଠିରୁ ସହାୟତା ଦିଆଯାଉଛି।
    ‘‘ଖଣି ପ୍ରଭାବିତ କେନ୍ଦୁଝର ଜିଲ୍ଲାରେ ଚାଷୀଙ୍କ ଦୀର୍ଘସ୍ଥାୟୀ ଜୀବିକା ଲାଗି ଟସର ଚାଷ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏଥିପାଇଁ ଚାଷୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଫଳରେ କେନ୍ଦୁଝର ଜିଲ୍ଲାରୁ ଉନ୍ନତ ମାନର ଟସର ଉତ୍ପାଦନ ହୋଇପାରୁଛି। ରାଜ୍ୟ ତଥା ରାଜ୍ୟ ବହାରେ କେନ୍ଦୁଝର ଟସରର ବିଶେଷ ପରିଚୟ ରହିଛି,’’ କହିଛନ୍ତି ଜିଲ୍ଲା ରେଶମ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ସଙ୍ଗୀତା ମିଞ୍ଜ।

    ୨୦୨୩-୨୪ ବର୍ଷରେ କେନ୍ଦୁଝର ଜିଲ୍ଲାରୁ ୨୦ ହଜାର ୫୦୦ କାହାଣ ବା ୩ କୋଟି ୨୮ ଲକ୍ଷରୁ ଅଧିକ ଟସର ଖୋସା ଉତ୍ପାଦନ ହୋଇଥିଲା। ଚଳିତ ବର୍ଷ ଆହୁରି ଅଧିକ ଖୋସା ଉତ୍ପାଦନ କରିବାକୁ ରେଶମ ନିର୍ଦ୍ଦେଶାଳୟ ଲକ୍ଷ୍ୟ ରଖିଛି। ଟସର ଖୋସା ବିକ୍ରି କରିବା ପାଇଁ ସେରିଫେଡ୍ ପକ୍ଷରୁ ମୂଲ୍ୟ ସ୍ଥିରୀକୃତ ହୋଇଛି। ଟିଆରସିଏସରୁ ଟସର ଖୋସାଗୁଡ଼ିକ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାସ୍ଥିତ ଟସର ସିଲ୍କ ପାର୍କ ସହିତ ରାଜ୍ୟ ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାଉଛି। ସେଠାରେ ଖୋସାରୁ ରେଶମ ସୂତା ବାହାର କରାଯାଇ ଆକର୍ଷଣୀୟ ପୋଷାକ ଓ ଶାଢ଼ି ପ୍ରସ୍ତୁତ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ