Monday, February 16, 2026
18.4 C
Odisha

    ଲେବାନନ୍‌ରେ ଇସ୍ରାଏଲର ସ୍ଥଳ ଅଭିଯାନ ଜାରି: ହେଜବୁଲ୍ଲା ଗଡ଼କୁ ଟାର୍ଗେଟ୍‌

    ଆଗକୁ ପଢନ୍ତୁ

    ତେଲ ଅବିବ: ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ମଙ୍ଗଳବାର ଘୋଷଣା କରିଛି ଯେ ଏହା ଦକ୍ଷିଣ ଲେବାନନ୍‌ରେ ସ୍ଥଳ ଅଭିଯାନ ବ୍ୟାପକ କରିଛି। ଇସ୍ରାଏଲର ଜଣେ ସୁରକ୍ଷା ଅଧିକାରୀ ଦୋହରାଇଛନ୍ତି ଯେ ଆମର ଯୁଦ୍ଧ ହେଜବୁଲ୍ଲା ସହ, ଲେବାନନର ଲୋକଙ୍କ ସହ ନୁହେଁ। ଆତଙ୍କବାଦୀଙ୍କୁ ନିପାତ କରାଯିବା ଏବଂ ସେମାନଙ୍କ ସମସ୍ତ ଭିତ୍ତିଭୂମି ନଷ୍ଟ ପ୍ରକ୍ରିୟା ଜାରି ରହିବ ବୋଲି ଇସ୍ରାଏଲ କହିଛି। ଅନ୍ୟପକ୍ଷରେ ହେଜବୁଲ୍ଲା ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟାର ପ୍ରତିଶୋଧ ନେବା ପାଇଁ ମଙ୍ଗଳବାର ସଂଗଠନ ପକ୍ଷରୁ ଇସ୍ରାଏଲର ଗିଲୋଟ୍ ବେସ୍ ଓ ତେଲ ଅବିବର ଉପାନ୍ତ ଅଞ୍ଚଳରେ ଥିବା ମୋସାଦ ମୁଖ୍ୟାଳୟରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।
    ଆଇଡିଏଫ୍‌ର ସ୍ଥଳ ଅଭିଯାନ ଘୋଷଣାର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ବେରୁତର ଦକ୍ଷିଣ ଉପାନ୍ତ ଅଞ୍ଚଳରେ ଥିବା ହେଜବୁଲ୍ଲା ଗଡ଼ ଦହିୟେରେ ରହୁଥିବା ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବାକୁ ଚେତାବନୀ ଦେଇଥିଲା। ଏହି ଚେତାବନୀ ପରେ ବେରୁତରେ ପ୍ରଚଣ୍ଡ ଆକ୍ରମଣ ହୋଇଥିଲା। ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହେଜବୁଲ୍ଲା ନସରଲ୍ଲା ନିହତ ହେବାର ଦୁଇ ଦିନ ପରେ ଆଇଡିଏଫ୍‌ର ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।
    ତେଲ୍‌ ଅବିବରେ ବିସ୍ଫୋରଣ
    ବେରୁତରେ ୧୦ ଲକ୍ଷରୁ ଅଧିକ ବିସ୍ଥାପିତ
    ଆଇଡିଏଫ୍‌ ତା’ର ସଦ୍ୟତମ ସୂଚନାରେ କହିଛି ଯେ ତେଲ୍‌ ଅବିବ ମେଟ୍ରୋପଲିଟାନ୍ ଅଞ୍ଚଳ ସମେତ ଦେଶର କେନ୍ଦ୍ରଭାଗକୁ ଲେବାନନ୍‌ରୁ ଅନେକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲେ ମଧ୍ୟ ଆମ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଅଟକାଇବାରେ ସକ୍ଷମ ହୋଇଛି। ଇସ୍ରାଏଲର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ଏହି ଅପରେସନ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ରହିଛି। ଇସ୍ରାଏଲକୁ ଲେବାନନରୁ ଅଲଗା କରୁଥିବା ବ୍ଲୁ ଲାଇନ୍ ନିକଟରେ ହେଜବୁଲ୍ଲା ସଦସ୍ୟମାନେ ଖୋଳିଥିବା ଭୂତଳ ସୁଡ଼ଙ୍ଗର ଏକ ନେଟୱର୍କରେ ଇସ୍ରାଏଲର ସ୍ୱତନ୍ତ୍ର ସେନା ପ୍ରବେଶ କରିଛି। ମଙ୍ଗଳବାର ଇସ୍ରାଏଲ ସେନା କହିଛି ଯେ ବାୟୁସେନା ଓ ଆଇଡିଏଫ୍ ଆର୍ଟିଲାରୀ ସ୍ଥଳସେନାକୁ ସମର୍ଥନ କରୁଛନ୍ତି ଏବଂ ଅପରେସନ ‘ନଦର୍ଣ୍ଣ ଆରୋଜ୍’ ପରିସ୍ଥିତି ଆକଳନ ଅନୁଯାୟୀ ଜାରି ରହିବ। ଇସ୍ରାଏଲ ମଧ୍ୟ ଲେବାନନ୍‌ରେ ଗ୍ରାଉଣ୍ଡ ଅପରେସନ ସମେତ ଅନେକ ଅପରେସନ ବିଷୟରେ ଆମେରିକାକୁ ସୂଚନା ଦେଇଛି। ମଙ୍ଗଳବାର ସକାଳେ ଲେବାନନ୍‌ରେ ପାଲେଷ୍ଟାଇନ୍ ଫତାହ ଆନ୍ଦୋଳନର ସାମରିକ ଶାଖା ଅଲ୍-ଆକ୍ସା ମାର୍ଟିର୍ସ ବ୍ରିଗେଡ୍‌ର ଲେବାନନ୍‌ ଶାଖାର କମାଣ୍ଡର ମୁନିର ମକଦାଙ୍କୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିଲା। ସିଡୋନ ସହର ନିକଟରେ ଥିବା ଆଇନ୍ ଏଲ୍-ହିଲ୍ୱେହ ପାଲେଷ୍ଟାଇନ୍ ଶରଣାର୍ଥୀ ଶିବିରର ଏକ କୋଠା ଉପରେ ଆକ୍ରମଣ ହୋଇଥିଲା।
    ସେପଟେ ସିରିଆରେ ଦମାସ୍କସ ଉପରେ ରାତାରାତି ଇସ୍ରାଏଲ ଆକ୍ରମଣରେ ଟିଭି ଆଙ୍କର ସଫା ଅହମଦ ଓ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲ ସେନା ସ୍ଥାନୀୟ ସମୟ ରାତି ପ୍ରାୟ ୨ଟା ବେଳେ ‘ଅଧିକୃତ ଗୋଲାନ୍ ହାଇଟ୍ସ’ ଦିଗରୁ ଡ୍ରୋନ୍ ଓ ବିମାନ ଯୋଗେ ଦମାସ୍କସକୁ ଟାର୍ଗେଟ କରିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନରେ ଇସ୍ରାଏଲ ଆକ୍ରମଣରେ ଅତି କମ୍‌ରେ ୯୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭୨ ଜଣ ଆହତ ହୋଇଥିବା ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ହସନ ନସରଲ୍ଲାର ମୃତ୍ୟୁ ପରେ ହେଜବୁଲ୍ଲାର ଉପନେତା ନଇମ୍ କାସେମ ସୋମବାର ପ୍ରଥମ ସାର୍ବଜନୀନ ଭାଷଣରେ କହିଛି ଯେ ପ୍ରତିରୋଧକାରୀ ବାହିନୀ ସ୍ଥଳ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ସେମାନେ ଇସ୍ରାଏଲ ଅଞ୍ଚଳରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ରକେଟ୍ ମାଡ଼ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.4 ° C
    18.4 °
    18.4 °
    37 %
    0.7kmh
    98 %
    Sun
    19 °
    Mon
    32 °
    Tue
    33 °
    Wed
    34 °
    Thu
    35 °

    ସମ୍ବନ୍ଧିତ