Saturday, September 26, 2026
24.6 C
Odisha

    ନାଇଟ୍‌ ଡ୍ୟୁଟି

    ଆଗକୁ ପଢନ୍ତୁ

    ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ନାଇଟ୍‌ ସିଫ୍ଟ ସିଷ୍ଟମ ରହିଛି। ଯୁବତୀ ହୁଅନ୍ତୁ ଅବା ଯୁବକ, ସିଫ୍ଟ ଅନୁଯାୟୀ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବାକୁ ପଡୁଛି। ରାତିଅନିଦ୍ରା ହେବା ତଥା ଲାଇଫ୍‌ ଷ୍ଟାଇଲ୍‌ ବଦଳିଯିବା ଦ୍ୱାରା ଅନେକଙ୍କଠାରେ ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜୁଛି। ତେବେ ଏଭଳି ପରିସ୍ଥିତିରେ ସୁସ୍ଥ ରହିବା ଲାଗି କେତେକ ଦିଗ ପ୍ରତି ଯତ୍ନଶୀଳ ହେବା ଜରୁରୀ…

    ହେଲ୍‌ଦି ଡାଏଟ୍‌: ଏକ ସୁସ୍ଥ ଜୀବନ ପାଇଁ ଶରୀରର ଆବଶ୍ୟକତା ଓ ପରିଶ୍ରମ ଅନୁଯାୟୀ ଖାଦ୍ୟ ଖାଇବା ଆବଶ୍ୟକ। ଯଦି ଆପଣ ନାଇଟ୍‌ ସିଫ୍ଟରେ କାମ କରୁଛନ୍ତି, ତେବେ ସୁଷମ ଖାଦ୍ୟ ଖାଆନ୍ତୁ। ତଟକା ପନିପରିବା, ଫଳ ଆଦି ଖାଆନ୍ତୁ। ରାତ୍ର ଭୋଜନରେ ସବୁବେଳେ ହାଲୁକା ଖାଦ୍ୟ ଖାଆନ୍ତୁ। କାରଣ ଭାରି ଖାଦ୍ୟ ଖାଇଲେ ନିଦ ଆସିଥାଏ ଏବଂ କେବେକେବେ ଗ୍ୟାସ୍‌, ବଦହଜମି ଭଳି ସମସ୍ୟା ବି ଉପୁଜିପାରେ। କେବଳ ଏତିକି ନୁହେଁ, ଭାରି ଖାଦ୍ୟ ଖାଇ ଅଧିକ ସମୟ ବସି କାମ କରିବା ଦ୍ୱାରା ଶରୀରରେ ଚର୍ବି ଜମା ହୋଇ ମେଦବହୁଳତା ଦେଖାଦେବାର ଆଶଙ୍କା ଅଧିକ। ତେଣୁ ଲାଇଟ୍‌ ଡିନର କରନ୍ତୁ, ଯାହା ଶରୀରକୁ ଫୂର୍ତ୍ତି ରଖିବା ସହ ମେଦବହୁଳତା ସମସ୍ୟା ବି ଦେଖାଦେବ ନାହିଁ। ଏହା ବ୍ୟତୀତ ଯଦି ଆପଣଙ୍କୁ ରାତିରେ କାମ କରିବା ବେଳେ ଭୋକ ଲାଗୁଛି ତେବେ ତେଲ ମସଲା, ଛଣାଛଣି ବଦଳରେ ମଝିରେ ମଝିରେ କିଛି ହାଲୁକା ସ୍ନାକ୍ସ ଖାଆନ୍ତୁ। ନିଦ ଦୂର କରିବା ଲାଗି ଅଧିକ ଚା, କଫି ପିଇବା ବି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ।

    ନିଅନ୍ତୁ ପର୍ଯ୍ୟାପ୍ତ ନିଦ୍ରା: ସାଧାରଣତଃ ଆମେ ଦିନରେ କାମ କରି ରାତିରେ ଶୋଇଥାଉ। ହେଲେ ନାଇଟ୍‌ ସିଫ୍ଟରେ କାମ କରୁଥିବା ଯୁବପିଢ଼ିଙ୍କୁ ରାତିରେ ନ ଶୋଇ କାମ କରିବାକୁ ପଡ଼ିଥାଏ। ଫଳରେ ସେମାନଙ୍କ ଜୀବନଶୈଳୀ ପରିବର୍ତ୍ତନ ହୋଇଯାଏ। ଏମିତିରେ କାମବେଳେ ନିଦ ଲାଗିବା କିମ୍ବା ରାତି ଅନିଦ୍ରାଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ବୃଦ୍ଧି ପାଇଥାଏ। ହେଲେ ଏପରି ନ ହେବା ଲାଗି ଦିନରେ ଭଲ ଭାବେ ଶୋଇବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ, ରାତିରେ କାମ ବେଳେ ନିଦ ଆସିବ ନାହିଁ ଏବଂ କାମରେ ଧ୍ୟାନ କେନ୍ଦ୍ରିତ ହେବା ସହ ସ୍ବାସ୍ଥ୍ୟ ସମସ୍ୟା ବି ଦେଖା ଦେବ ନାହିଁ।

    ପାଣି ପିଅନ୍ତୁ: ଆମେ ଦିନରେ ଅଧିକ ପାଣି ପିଉଥିବା ବେଳେ ରାତିରେ ଅପେକ୍ଷାକୃତ କମ୍‌ ପାଣି ପିଇଥାଉ। ଏହାର ମୁଖ୍ୟ କାରଣ ହେଉଛି ରାତିରେ ଶୋଇବା। ହେଲେ ନାଇଟ୍‌ ସିଫ୍ଟ କରୁଥିଲେ ରାତିରେ ଅଧିକ ସମୟ ଅନିଦ୍ରା ରହିବାକୁ ପଡୁଥିବାରୁ ଆଦୌ କମ୍‌ ପାଣି ପିଇବା ଠିକ୍‌ ନୁହେଁ। ନଚେତ୍‌ ଖାଦ୍ୟ ଭଲ ଭାବେ ହଜମ ହୋଇ ନ ପାରି ବଦହଜମି, ଗ୍ୟାସ୍‌, ଏସିଡିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଭଲ ଭାବେ ପାଣି ପିଅନ୍ତୁ।

    ମଝିରେ ମଝିରେ ନିଅନ୍ତୁ ବ୍ରେକ୍‌: ରାତିରେ ଅଧିକ ସମୟ ବସି କାମ ବା ଡେସ୍କ ଜବ୍‌ କରୁଥିଲେ ମଝିରେ ମଝିରେ ବ୍ରେକ୍‌ ନିଅନ୍ତୁ। ନିଜ ସିଟ୍‌ରୁ ଉଠି କିଛି ସମୟ ଚାଲନ୍ତୁ, କିଛି ସ୍ନାକ୍ସ ଖାଆନ୍ତୁ, ପାଣି ପିଅନ୍ତୁ। ଏହାଦ୍ୱାରା ଉଭୟ ଶରୀର ଏବଂ ଆଖିକୁ ରେଷ୍ଟ ମିଳିବ। ଡେସ୍କ ଜବ୍‌ କରୁଥିଲେ କିଛି ଦିନ ପରେ ଅନେକଙ୍କଠାରେ ପିଠି ଯନ୍ତ୍ରଣା ଦେଖାଦିଏ। ଏପରି ହେଉଥିଲେ ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହି କାମ ନ କରି ମଝିରେ ମଝିରେ ସିଟ୍‌ରୁ ଉଠି ହାତ ଉଠାଇବା, ବେକ ଏବଂ ପିଠିକୁ ରିଲାକ୍ସ କରିବା ଭଳି ହାଲୁକା ଏକ୍ସରସାଇଜ୍‌ କରନ୍ତୁ।

    ଲାଇଟ୍‌ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ବର୍ତ୍ତମାନ ଅଧିକାଂଶ କାମ କମ୍ପ୍ୟୁଟରରେ କରାଯାଉଛି। ଦିନରେ ଜବ୍‌ କରୁଥିଲେ ସୂର୍ଯ୍ୟାଲୋକ ଥିବାରୁ ଅଫିସ ଭିତରେ ଅଳ୍ପ ଲାଇଟ୍‌ ବ୍ୟବସ୍ଥା ଥିଲେ ବି ଏହା ବ୍ୟାକ୍‌ଗ୍ରାଉଣ୍ଡ ଲାଇଟ୍‌ ପାଇଁ ବେଶ୍‌ କାମରେ ଆସିଥାଏ। ହେଲେ ରାତିରେ ଚାରିଆଡ଼ ଅନ୍ଧାର ହୋଇଥିବାରୁ ଲାଇଟ୍‌ ବ୍ୟବସ୍ଥା ଠିକ୍‌ ରହିବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କାରଣ କମ୍‌ ଲାଇଟ୍‌ରେ କାମ କଲେ ଚାପ ପଡ଼ିବା ଯୋଗୁ ଚକ୍ଷୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

    ଯୋଗ, ବ୍ୟାୟାମ ବେଶ୍‌ ଜରୁରୀ: ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରିବା ଆବଶ୍ୟକ। ବିଶେଷକରି ଯଦି ଆପଣ ନାଇଟ୍‌ ସିଫ୍ଟ ଡ୍ୟୁଟି କରୁଛନ୍ତି, ତେବେ ଦିନରେ ଏଥିପାଇଁ କିଛି ସମୟ ନିହାତି ବାହାର କରନ୍ତୁ। ଦେଖିବେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାରେ ଏହା ବେଶ୍‌ ସାହାଯ୍ୟ କରିବ।

    ଗାଡି ଚଳାଇବା ବେଳେ ରୁହନ୍ତୁ ସତର୍କ: ଯେଉଁମାନେ ଲେଟ୍‌ ନାଇଟ୍‌ ପର୍ଯ୍ୟନ୍ତ ବାହାରେ କାମ କରନ୍ତି ବା ଫିଲ୍ଡ ଜବ୍‌ କରନ୍ତି ସେମାନଙ୍କୁ ଗାଡି ଚଳାଇବା ସମୟରେ ଯେପରି ନିଦ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ସେହିପରି ରାତିରେ ଗାଡି ସ୍ପିଡ୍‌ ନ ଚଳାଇ ଧିରେ ଧିରେ ଚଳାନ୍ତ। କାରଣ ଏହାଦ୍ୱାରା ଦୁର୍ଘଟଣା ହେବାର ଆଶଙ୍କା ଅଧିକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ