Tuesday, October 13, 2026
28.9 C
Odisha

    ନାଳନ୍ଦା ବିଶ୍ୱବିଦ୍ୟାଳୟ ନୂଆ କ୍ୟାମ୍ପସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନାଳନ୍ଦା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ବିହାରରେ ଥିବା ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଉଦ୍‌ଘାଟନ କରିଛନ୍ତି। ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୧୦ ଦିନ ମଧ୍ୟରେ ଏହା ନରେନ୍ଦ୍ର ମୋଦୀଙ୍କ ପ୍ରଥମ ସରକାରୀ ରାଜ୍ୟ ଗସ୍ତ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନାଳନ୍ଦା କେବଳ ଏକ ନାମ ନୁହେଁ, ଏହା ଏକ ପରିଚୟ ଓ ସମ୍ମାନ। ନାଳନ୍ଦା ହେଉଛି ଏକ ମୂଲ୍ୟ ଓ ମନ୍ତ୍ର। ଅଗ୍ନି ବହିଗୁଡ଼ିକୁ ପୋଡ଼ିଦେଇପାରେ, କିନ୍ତୁ ଏହା ଜ୍ଞାନକୁ ନଷ୍ଟ କରିପାରିବ ନାହିଁ। ଏହି ବିଶ୍ୱବିଦ୍ୟାଳୟ କେବଳ ଭାରତ ଇତିହାସର ନୁହେଁ ବରଂ ଏହା ଏସିଆର ଏକ ଅଂଶ। ବିଶ୍ୱବିଦ୍ୟାଳୟର ପୁନଃନିର୍ମାଣରେ ଆମର ବନ୍ଧୁ ଦେଶମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହାକୁ ‘ବସୁଧୈବ କୁଟୁମ୍ବକମ୍’ର ସ୍ପିରିଟ୍ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶ୍ୱର ଅନେକ ଦେଶରୁ ଛାତ୍ରଛାତ୍ରୀ ଏଠାକୁ ଆସିବା ଆରମ୍ଭ କରିଛନ୍ତି। ୨୦ରୁ ଅଧିକ ଦେଶର ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି।
    ଏହା ପୂର୍ବରୁ ମୋଦୀ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ୨୦୧୬ ମସିହାରେ ଏହି ଭଗ୍ନାବଶେଷଗୁଡ଼ିକୁ ଜାତିସଂଘ ଦ୍ବାରା ଐତିହ୍ୟ ସ୍ଥଳ ଭାବେ ଘୋଷଣା କରାଯାଇଥିଲା। ଉଦ୍‌ଘାଟନୀ ଉତ୍ସବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ନାଳନ୍ଦା ବିଶ୍ୱବିଦ୍ୟାଳୟ କୁଳପତି ଅରବିନ୍ଦ ପାନଗାରିଆ ଯୋଗ ଦେଇଥିଲେ।
    ଉଦ୍‌ଘାଟନ ପରେ ଜୟଶଙ୍କର କହିଛନ୍ତି ଯେ ପ୍ରାଚୀନ ବିଶ୍ୱବିଦ୍ୟାଳୟ ଶିକ୍ଷାର ଏକ ବିଶ୍ୱସ୍ତରୀୟ ସେତୁର ପୁନରୁଦ୍ଧାରକୁ ପ୍ରତିନିଧିତ୍ୱ କରେ ଯାହା ଅତୀତ ତୁଳନାରେ ଆଗକୁ ଆହୁରି ସମ୍ପର୍କ ଯୋଡ଼ିପାରିବ। ଏହି କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ଡୋନେସିଆ, ଲାଓସ, ମରିସସ, ମିଆଁମାର, ନ୍ୟୁଜିଲାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ଭିଏତ୍‌ନାମ ସମେତ ମୋଟ ୧୭ଟି ଦେଶର ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ। କ୍ୟାମ୍ପସକୁ ଦୁଇଟି ଏକାଡେମିକ ବ୍ଲକ୍‌ରେ ବିଭକ୍ତ କରାଯାଇଛି, ପ୍ରତ୍ୟେକରେ ୪୦ଟି ଶ୍ରେଣୀଗୃହ ଏବଂ ମୋଟ ୧୯୦୦ ସିଟ୍‌ ରହିଛି। ଏଥିରେ ଦୁଇଟି ଅଡିଟୋରିୟମ୍ ଅଛି, ଯେଉଁଥିରେ ୩୦୦ ଦର୍ଶକ ବସିପାରିବେ। ଏଥିରେ ଏକ ଛାତ୍ରାବାସ ଅଛି ଯେଉଁଥିରେ ପାଖାପାଖି ୫୫୦ ପିଲା ରହିପାରିବେ। ଏଥିରେ ୨୦୦୦ ଲୋକ ବସିପାରୁଥିବା ଅଡିଟୋରିୟମ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ ଆଦି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.7kmh
    0 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ