Thursday, October 1, 2026
24.6 C
Odisha

    ତିନି ସରକାରୀ ବିଶ୍ବବିଦ୍ୟାଳୟରେ ବିଚିତ୍ର ବ୍ୟବସ୍ଥା: ବଢ଼ିଲା ତିନି କୁଳପତିଙ୍କ କାର୍ଯ୍ୟକାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି। ରାଜ୍ୟର ତିନି ସରକାରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳକୁ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ଓଡ଼ିଶା ଇତିହାସରେ ଉଚ୍ଚଶିକ୍ଷା ବିଭାଗ ଅଧୀନ କୌଣସି ବିଶ୍ବବିଦ୍ୟାଳୟ କୁଳପତି ସ୍ଥାୟୀ ଭାବେ ୪ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ମଧ୍ୟ ପୁଣିଥରେ ୬ ମାସ ବଢ଼ାଯାଇଛି। ରାଜଭବନ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ କୁହାଯାଇଛି ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ର ଧାରା ୬ର ଉପଧାରା ୮ ଅନୁଯାୟୀ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ବର୍ତ୍ତମାନର ତିନି କୁଳପତିଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଯାଇଛନ୍ତି। ଏହି ସମୟ ମଧ୍ୟରେ ଯଦି ନୂତନ କୁଳପତି ଦାୟିତ୍ବ ଗ୍ରହଣ କରନ୍ତି ତାହା ହେଲେ ସେମାନେ ପଦବିରୁ ହଟିବେ। ଏହି ସମୟରେ କୁଳପତିମାନେ କୁଳାଧିପତିଙ୍କ ବିନା ଅନୁମତିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ। ଆସନ୍ତା ୨୩ ତାରିଖରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ସରୁଛି। ଏହାର ଦୁଇ ଦିନ ପରେ ଅର୍ଥାତ୍‌ ୨୫ ତାରିଖରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ଓ ୨୬ ତାରିଖରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଏନ୍‌. ନାଗରାଜୁଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି।
    ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଆଧାରରେ ତିନିଜଣ ଯାକ କୁଳପତି ଚୟନ ହୋଇଥିଲେ। ଏବେ ୨୦୨୦ ବିଶ୍ବବିଦ୍ୟାଳୟ ଆଇନ ରାଜ୍ୟରେ ପ୍ରଚଳିତ ରହିଛି। ଯେଉଁ ଆଧାରରେ ଦେଢ଼ବର୍ଷ ହେଲା ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ(ଏମ୍‌ଏସ୍‌ସିବି) କୁଳପତି ଦାୟିତ୍ବରେ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ରହିଛନ୍ତି। ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଏବେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବ ସମ୍ଭାଳୁଛନ୍ତି। ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ କୁଳପତି ନ ଥିବାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଭାରପ୍ରାପ୍ତ ଦାୟିତ୍ବ ସମ୍ଭାଳୁଛନ୍ତି।

    ତିନି ସରକାରୀ ବିଶ୍ବବିଦ୍ୟାଳୟରେ ବିଚିତ୍ର ବ୍ୟବସ୍ଥା
    ୨୦୨୦ ଆଇନରେ ନିଯୁକ୍ତି, ୧୯୮୯ ଆଇନରେ କାର୍ଯ୍ୟକାଳ ବୃଦ୍ଧି

    ସୁପ୍ରିମକୋର୍ଟରେ ମାମଲା ଜାରି ରହିଥିବା ବେଳେ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯ କେଉଁଠୁ ଆସିଲା? ଯଦି ୧୯୮୯ ଆଇନକୁ ବଚାରକୁ ନିଆଯାଏ ତେବେ କୁଳପତିଙ୍କ କାର୍ଯ୍ୟକାଳ ୩ ବର୍ଷ ପୂରି ଯାଇଛି। ଆଇନରେ ‌ଥିବା ନିୟମ ପରେ ମଧ୍ୟ ସେମାନେ ଆହୁରି ଅଧିକ ଗୋଟିଏ ବର୍ଷ କୁଳପତି ପଦବିରେ ରହିସାରିଛନ୍ତି। ଏବେ ପୁଣିଥରେ ୬ ମାସ ବଢ଼ାଯାଇଛି। କେବଳ ସେତିକି ନୁହେଁ, ୧୯୮୯ ଆଇନ ଅନୁଯାୟୀ ଜଣେ ପ୍ରଫେସର ସର୍ବାଧିକ ୬୫ ବର୍ଷ ପର୍ଯ୍ୟନ୍ତ କୁଳପତି ପଦବିରେ ରହିପାରିବେ। ସେହି ନିୟମ ଏଠାରେ ଲାଗୁ ହେବ ତ? ଏହି ୬ ମାସ ମଧ୍ୟରେ ଯେଉଁ କୁଳପତିଙ୍କ ବୟସ ୬୫ ବର୍ଷ ପୂରିବ ସେମାନେ ପଦବିରେ ରହିବେ ନା ବିଦା ହେବେ? ଯଦି ୨୦୨୦ ଆଇନରେ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଥିଲା, ତେବେ କାର୍ଯ୍ୟକାଳ ବୃଦ୍ଧି ବେଳକୁ କିଭଳି ୧୯୮୯ ଆଇନ ଲାଗୁ ହେବ ବୋଲି ଏବେ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ଚିନ୍ତାର ବିଷୟ ହେଉଛି ଯେ ବିଶ୍ବବିଦ୍ୟାଳୟ କୁଳାଧିପତି ଶ୍ରୀ ଦାସଙ୍କ ନିର୍ଦ୍ଦେଶରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତ ଚଳିତ ମାସ ୮ ତାରିଖରେ ଉଚ୍ଚଶିକ୍ଷା ସଚିବଙ୍କୁ ଲେଖି କୁଳପତି ଚୟନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଇତିମଧ୍ୟରେ ୧୩ ଦିନ ବିତିଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ନିରବ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.6 ° C
    24.6 °
    24.6 °
    83 %
    1.4kmh
    22 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ