ଭୁବନେଶ୍ୱର : ଆଗକୁ ପୁଣି ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଲିଟର ପିଛା ପ୍ରାୟ ୩୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ପ୍ରାୟ ୬୦ ଟଙ୍କା କ୍ଷତି ସହୁଛନ୍ତି । ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ତୈଳ ଦର ବୃଦ୍ଧି ପାଇପାରେ ବୋଲି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଓଡ଼ିଶା ସଭାପତି ଶଶାଙ୍କ ଶେଖର ସାହୁ ।
ତୈଳ କମ୍ପାନୀଗୁଡିକ ଲଗାତାର କ୍ଷତି ସହୁଥିବା କାରଣରୁ ଡିଲରମାନଙ୍କୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଯୋଗାଣ କରାଯାଉନଥିଲା । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ କିଛି ପେଟ୍ରୋଲ ପମ୍ପ ଡ୍ରାଏ ହୋଇଥିବା ଦେଖାଯାଇଥିଲା । ତେବେ ସ୍ଥିତି ଏବେ ଧୀରେ ଧୀରେ ସ୍ୱାଭାବିକ ହେଉଛି । ରାଜ୍ୟର ପ୍ରାୟ ୯୫ ପ୍ରତିଶତ ପେଟ୍ରୋଲ ପମ୍ପରେ ତୈଳ ଯୋଗାଣ ସ୍ବାଭାବିକ ହେଉଥିବା ବେଳେ କେତେକ ସ୍ଥାନରେ ଏବେବି ସମସ୍ୟା ରହିଛି ।
ସେ କହିଛନ୍ତି, ପରିବହନ ବ୍ୟବସ୍ଥାରେ କୌଣସି ବିଶେଷ ସମସ୍ୟା ନଥିବା ବେଳେ କମ୍ପାନୀଗୁଡିକର କ୍ଷତି ହିଁ ଏହି ସ୍ଥିତିର ମୁଖ୍ୟ କାରଣ । କ୍ଷତି କମାଇବା ପାଇଁ କମ୍ପାନୀମାନେ ଯୋଗାଣ ଓ ବ୍ୟବସାୟର ପରିମାଣ କମାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ସରକାର ଯଦି ତେଲ ଉପରେ ଟାକ୍ସ କମାନ୍ତି, ତେବେ କମ୍ପାନୀମାନଙ୍କର କ୍ଷତି ହ୍ରାସ ପାଇବା ସହ ଆଗାମୀ ଦିନରେ ଏଭଳି ସ୍ଥିତି ଆଉ ଦେଖାଯାଆନ୍ତା ନାହିଁ ବୋଲି ସେ କହିଛନ୍ତି ।
