Thursday, September 10, 2026
26.6 C
Odisha

    ଆଜିଠୁ ନୋଡାଲ ​‌ସେଣ୍ଟରକୁ ଯିବ ମାଟ୍ରିକ ପ୍ରଶ୍ନପତ୍ର

    ଆଗକୁ ପଢନ୍ତୁ

    କଟକ :  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ହେବ। ଏଥିପାଇଁ ଆଜି ଠାରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ପ୍ରଥମ ପର୍ଯ୍ୟାୟରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ୫ ଦୂରବର୍ତ୍ତୀ ଜିଲ୍ଲାକୁ ପ୍ରଶ୍ନ ପଠାଯିବ। ନିର୍ଦ୍ଦିଷ୍ଟ ରୁଟ୍‌ ନିର୍ଦ୍ଧାରଣ କରାଯାଇଥିବାବେଳେ ଯେଉଁ କର୍ମଚାରୀ ପ୍ରଶ୍ନପତ୍ର ନେଇ ଯିବେ ସେମାନଙ୍କର ଜିପିଏସ ଟ୍ରାକ କରାଯିବ। ଯଦି କିଛି ବି ତ୍ରୁଟି ହେଲା; ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ପରୀକ୍ଷାର ସୁପରିଚାଳନା ନିମନ୍ତେ ସମସ୍ତ ପରୀକ୍ଷା କେନ୍ଦ୍ର ଏବଂ ପ୍ରଶ୍ନପତ୍ର ରହୁଥିବା ନୋଡାଲ ସେଣ୍ଟରଗୁଡ଼ିକ ସିସିଟିଭି ସର୍ଭିଲାନ୍ସ ମଧ୍ୟରେ ରହିବ। ୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବ।

    ନୋଡାଲ ସେଣ୍ଟରରୁ ପରୀକ୍ଷାର କିଛି ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ବାରଣ ହୋଇଛି। କେବଳ କେନ୍ଦ୍ର ଅଧୀକ୍ଷକଙ୍କୁ ମୋବାଇଲ ନେବାକୁ ଅନୁମତି ମିଳିବ; କିନ୍ତୁ ପରୀକ୍ଷା ହଲକୁ ମୋବାଇଲ ନେଇପାରିବେ ନାହିଁ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯେଉଁ ବିଦ୍ୟାଳୟ କିମ୍ବା ଶିକ୍ଷକଙ୍କ ବିରୋଧରେ ବିଗତବର୍ଷରେ ଅଭିଯୋଗ ରହିଥିଲା; ସେମାନଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ବରୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି।

    ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଛନ୍ତି। ଏଥିପାଇଁ ୩୦୮୨ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ୧୧ ଦିନ ଭିତରେ ପରୀକ୍ଷା ସରିବ। ପ୍ରତିଦିନ ଗୋଟିଏ ସିଟିଂରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବାହ୍ଣ ୯ଟାରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଜିଠାରୁ ଦୂରବର୍ତ୍ତୀ ଜିଲା ଯଥା ମାଲକାନଗିରି, କୋରାପୁଟ, କଳାହାଣ୍ଡି, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଯିବ। ପ୍ରତି ନୋଡାଲ ସେଣ୍ଟରରେ କ୍ୟାମେରା ଲଗାଯାଇଛି। ଏହିଠାରୁ ଲାଇଭ ଟେଲିକାଷ୍ଟ ହୋଇପାରିବ। ପ୍ରଶ୍ନପତ୍ର ନେବାରେ ଯେଭଳି କିଛି ବି ବିଭ୍ରାଟ ହେବ ନାହିଁ ସେଥିପାଇଁ ବୋର୍ଡ ପରୀକ୍ଷା ପରିଚାଳନା କମିଟି ଦ୍ବାରା ନିର୍ଦ୍ଧାରିତ ହୋଇଥିବା ରୁଟ୍‌ ବା ରାସ୍ତା ପ୍ରଶ୍ନପତ୍ର ଗାଡ଼ି ଯିବ। ପ୍ରଶ୍ନପତ୍ର ଯାଉଥିବା ଗାଡ଼ିରେ ଜଣେ ପୁଲିସ କର୍ମଚାରୀ ଏବଂ ବୋର୍ଡର ଦୁଇଜଣ କର୍ମଚାରୀ ରହିବେ।

    ପ୍ରଶ୍ନପତ୍ର ରଖିବାକୁ ୩୨୨ଟି ନୋଡାଲ ସେଣ୍ଟର କରାଯାଇଛି। ସେଥିମଧ୍ୟରୁ କନ୍ଧମାଳରେ ୧୦ ଏବଂ ମାଲକାନଗିରି ୭ ଥାନାଗୁଡ଼ିକରେ ନୋଡାଲ ସେଣ୍ଟର ହୋଇଛି। ବୋର୍ଡ ମୁଖ୍ୟାଳୟରେ ହୋଇଥିବା କମାଣ୍ଡ କ‌େଣ୍ଟ୍ରାଲ ରୁମ୍‌ର ପରିଚାଳନା ନିମନ୍ତେ ଏବର୍ଷ ଆଉ ବାହାର ସଂସ୍ଥା ସହାୟତା ନିଆଯାଇନାହିଁ। ବୋର୍ଡର ଅଧିକାରୀ ଏହାକୁ ପରିଚାଳନା କରିବେ। ଅନ୍ୟପକ୍ଷରେ ପରୀକ୍ଷା ନିମନ୍ତେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ସବୁ ଜିଲାର ଜିଲାପାଳ, ଜିଲା ଶିକ୍ଷା ଅଧିକାରୀଙ୍କ ସମେତ ପୁଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.6 ° C
    26.6 °
    26.6 °
    88 %
    1.2kmh
    100 %
    Thu
    28 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ