ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍ସ ହାଇଅର ଏଜୁକେସନ୍’ ଏସିଆ ୟୁନିଭର୍ସିଟି ରାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍ସିଟି ରାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଏବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଅଧିକ ଉନ୍ନତ ପ୍ରଦର୍ଶନ କରିଛି । ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬୯ ତମ ସ୍ଥାନରେ ରହିଛି ।
ଏହା ସହ କିଟ୍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ଷଷ୍ଠ ସ୍ଥାନରେ ରହିଥିବା ବେଳେ ପୂର୍ବ ଭାରତରେ ଶ୍ରେଷ୍ଠ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଗତବର୍ଷ ଏହି ରାଙ୍କିଂରେ କିଟ୍ ଏସିଆ ମହାଦେଶର ଶ୍ରେଷ୍ଠ ୧୮୪ତମ ସ୍ଥାନରେ ରହିଥିଲା । ଏହା ସହିତ ଟାଇମ୍ସ ହାଇଅର ଏଜୁକେସନ୍ ଦ୍ୱାରା କରାଯାଇଥିବା ସ୍ପୋର୍ଟସ ସାଇନ୍ସ ବର୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।
ଚଳିତବର୍ଷ କିଟ୍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ବହୁ ଲବ୍ଧ ପ୍ରତିଷ୍ଠିତ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ପଛରେ ପକାଇ କରି ଉନ୍ନତ ପ୍ରଦର୍ଶନ କରିପାରିଛି । ଚଳିତବର୍ଷ ଶିକ୍ଷାଦାନ, ଗବେଷଣା, ଜ୍ଞାନ ବିନିମୟ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଂ କରାଯାଇଥିଲା ।
ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ଏହି ଚୟନ ପ୍ରକ୍ରିୟା କରାଯାଇଛି । କିଟ୍ ମାତ୍ର ୨୮ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୨୨ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ଷଷ୍ଠ ଓ ଏସିଆରେ ୧୬୯ତମ ସ୍ଥାନରେ ରହି ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିଛି ।
ଏହି ସଫଳତା ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିଟ୍ ଓ କିସ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି । ସୂଚନାଯୋଗ୍ୟ, ଟାଇମ୍ସ ହାଇଅର ଏଜୁକେସନ ଦ୍ୱାରା କରାଯାଉଥିବା ବିଭିନ୍ନ ରାଙ୍କିଂ ସମେତ କ୍ୟୁଏସ୍ ରାଙ୍କିଂ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱ ରାଙ୍କିଂରେ ନିରନ୍ତର ଭାବରେ ସ୍ଥାନ ପାଇବା ସହ ପ୍ରମୁଖ ଅନ୍ତର୍ଜାତୀୟ ମାନ୍ୟତା ହାସଲ କରି କିଟ୍ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି । ଏହି ମାନ୍ୟତା କିଟ୍କୁ ଉଚ୍ଚଶିକ୍ଷାରେ ଉତ୍କର୍ଷତା ଭାବେ ପ୍ରମାଣିତ କରୁଛି ।
