Tuesday, October 13, 2026
26.9 C
Odisha

    ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜ ମୋହନ ରାମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  :  ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ପୂର୍ବତନ ଏମପି ବ୍ରଜ ମୋହନ ରାମ । ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀ ରାମ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ବପଟିଙ୍କ ସ୍ଥାନ ନେବେ । ସୋମବାର ରାଷ୍ଟ୍ରପତି ଭବନରୁ ବାହାରିଥିବା ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । କେରଳମ୍‌ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡ଼ୁର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସିକିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍‌ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଧଲ ସିଂହ ବିଶେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଶ୍ୟନ ଗୌତମଙ୍କୁ ସିକିମ୍‌ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।
    ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜ ମୋହନ ରାମ ପୂର୍ବରୁ ଝାଡଖଣ୍ଡ ପାଲାମୁରୁ ଏମପି ଥିଲେ । ବର୍ତ୍ତମାନ ସେ ଝାଡ଼ଖଣ୍ଡ ରାଜ୍ୟ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ୱରେ ଅଛନ୍ତି । ବର୍ତ୍ତମାନ ରାଜ୍ୟପାଳ ହରିବାବୁ କମ୍ବପଟି ୨୦୨୫ ମସିହା ଜାନୁୟରୀ ମାସରେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ ।

    ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମଙ୍କ ଜନ୍ମ ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ତତ୍କାଳୀନ ବିହାର (ବର୍ତ୍ତମାନର ଝାଡଖଣ୍ଡ) ପଲାମୁ ଜିଲ୍ଲା ଅନ୍ତର୍ଗତ ଚନ୍ଦୱା ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଅର୍ଜ୍ଜୁନ ରାମ ବୈଠା ଓ ମାତାଙ୍କ ନାମ ଚୈତୀ ଦେବୀ । ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ସେ ବିହାର ବିଧାନସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।
    ୧୯୯୬ରେ ଅନୁଷ୍ଠିତ ୧୧ତମ ଲୋକସଭା ନିର୍ବାଚନରେ ସେ ନିର୍ବାଚିତ ହୋଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ସଦସ୍ୟ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ । ୧୯୯୬–୧୯୯୭ରେ ଗୃହ ବ୍ୟାପାର କମିଟିର ସଦସ୍ୟ ଓ ରେଳ ମନ୍ତ୍ରଣାଳୟର ଅନୌପଚାରିକ କମିଟି (ପୂର୍ବ ରେଳପଥ) ଏବଂ ଇସ୍ପାତ ଓ ଖଣି ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ୧୯୯୮ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ସେ ପୁନଃ ନିର୍ବାଚିତ ହୋଇଥିଲେ। ଏହି ସମୟରେ ଶକ୍ତି କମିଟି ଏବଂ ଏହାର ବିଦ୍ୟୁତ୍ ଉପକମିଟି-୧ର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ୧୯୯୯ ମସିହାରେ ୧୩ତମ ଲୋକସଭା ନିର୍ବାଚନରେ ସେ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦–୨୦୦୪ ପର୍ଯ୍ୟନ୍ତ କୋଇଲା ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ଏବଂ ପରିବହନ ଓ ପର‌୍ୟ୍ୟଟନ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଆଇନ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସ୍ଥାୟୀ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ମଧ୍ୟ ଶ୍ରୀ ରାମ କାର୍ଯ୍ୟ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.9 ° C
    26.9 °
    26.9 °
    74 %
    2.2kmh
    55 %
    Tue
    26 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ