ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କନ୍ୟା ପୂଜନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ କନ୍ୟାଶିଶୁଙ୍କ ମର୍ଯ୍ୟାଦା, ଅଧିକାର, ସୁରକ୍ଷା ଓ ସଶକ୍ତୀକରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ସେ କହିଥିଲେ ଯେ, ପ୍ରତ୍ୟେକ କନ୍ୟାଶିଶୁ ହିଂସା, ଭେଦଭାବ, ଶୋଷଣ ଓ ଅବହେଳାମୁକ୍ତ ପରିବେଶରେ ବଢ଼ିବା ସହ ନିଜ ସ୍ୱପ୍ନକୁ ସାକାର କରିବାର ସୁଯୋଗ ପାଇବା ଆବଶ୍ୟକ। କନ୍ୟାଶିଶୁଙ୍କୁ ସମ୍ମାନ ଦେବା, ପ୍ରତ୍ୟେକ ଶୈଶବର ସ୍ୱପ୍ନକୁ ସୁରକ୍ଷିତ ରଖିବା ଏବଂ ପ୍ରତ୍ୟେକ ଶିଶୁର ଅଧିକାର ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ସାଂସଦ ତଥା ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ, ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି, ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଡ. ମୃଣାଳିନୀ ଦର୍ଶୱାଲ, OSCPCR ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ଆୟୋଗର ସଦସ୍ୟାମାନେ ଉପସ୍ଥିତ ଥିଲେ।
ଅନ୍ୟ ଅତିଥିମାନେ ମଧ୍ୟ ଶିଶୁମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ଶିଶୁ-ଅନୁକୂଳ ସମାଜ ଗଠନ କରିବା ସହ ପ୍ରତ୍ୟେକ କନ୍ୟାଶିଶୁକୁ ସୁରକ୍ଷିତ, ସମ୍ମାନିତ ଓ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା।
