ନୂଆଦିଲ୍ଲୀ : ଦିଲ୍ଲୀରେ ବଢ଼ୁଥିବା ଶୀତକାଳୀନ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ନଭେମ୍ବର ୧ରୁ ରାଜଧାନୀରେ ଲାଗୁ ହେବ ଏକାଧିକ କଡ଼ା କଟକଣା ଲାଗୁ କରାଯାଇଛି । ପୁରୁଣା ଯାନବାହନ ଚଳାଚଳ ଉପରେ ରୋକ୍, ନିର୍ମାଣ କାର୍ଯ୍ୟ ବନ୍ଦ, ପାର୍କିଂ ଫି’ ଦ୍ୱିଗୁଣିତ ଏବଂ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ ଉପସ୍ଥାନ ଭଳି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୧ରୁ ଫେବୃଆରୀ ୨୮ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ନିୟମ ଲାଗୁ ହେବ ।
ପ୍ରଥମତଃ, ନଭେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ପଞ୍ଜିକୃତ BS-IV କିମ୍ବା ତା’ଠାରୁ ପୁରୁଣା ନିର୍ଗମନ ମାନଦଣ୍ଡ ଥିବା ଯାନବାହନର ଚଳାଚଳ ଉପରେ କଟକଣା ଲାଗିବ । ତେବେ CNG ଓ ଇଲେକ୍ଟ୍ରିକ୍ ଗାଡ଼ି ସହିତ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ପୋଲିସ ଗାଡ଼ିକୁ ଏଥିରୁ ଛାଡ଼ ମିଳିବ । ସେହିପରି ନଭେମ୍ବର ୧ରୁ ଜାନୁଆରୀ ୩୧ ଯାଏଁ ଧୂଳି ସୃଷ୍ଟି କରୁଥିବା ବାହ୍ୟ ନିର୍ମାଣ ଓ ଭଙ୍ଗା କାର୍ଯ୍ୟ ଉପରେ ରୋକ୍ ଲଗାଯିବ । କିଛି ଜରୁରୀ ସାର୍ବଜନୀନ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ଛାଡ଼ ମିଳିପାରିବ । ଘର ଭିତରେ ଫିନିସିଂ, ପ୍ଲମ୍ବିଂ ଓ ବୈଦ୍ୟୁତିକ କାମକୁ ଧୂଳି ନିୟନ୍ତ୍ରଣ ନିୟମ ପାଳନ ସାପେକ୍ଷରେ ଅନୁମତି ମିଳିବ । ତେବେ ଡିସେମ୍ବର ୧୦ରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଅନୁମତିପ୍ରାପ୍ତ କିଛି କାର୍ଯ୍ୟକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ ।
ନଭେମ୍ବର ୧ରୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ଦିଲ୍ଲୀର ଅଧିକୃତ ପାର୍କିଂ ସ୍ଥାନଗୁଡ଼ିକରେ ପାର୍କିଂ ଫି’ ଦ୍ୱିଗୁଣିତ ହେବ । ତେବେ ଦିଲ୍ଲୀ ମେଟ୍ରୋର ପାର୍କିଂ ସ୍ଥାନଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି । କାର୍ଯ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବ । ନଭେମ୍ବର ୧ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କେବଳ ୫୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସିବେ । ଅନ୍ୟ କର୍ମଚାରୀମାନେ ଘରୁ କାମ କରିବେ । ତେବେ ଜରୁରୀ ଓ ଅତ୍ୟାବଶ୍ୟକ ସେବାକୁ ଏଥିରୁ ଛାଡ଼ ମିଳିବ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ MCD କାର୍ଯ୍ୟାଳୟ ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ଏବଂ ଦିଲ୍ଲୀ ସରକାରୀ କାର୍ଯ୍ୟାଳୟ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଚାଲିବ ।
ଏହି ନିୟମର କଡ଼ାକଡ଼ି କାର୍ଯ୍ୟକାରିତା ପାଇଁ ପରିବହନ ବିଭାଗ, ଦିଲ୍ଲୀ ଟ୍ରାଫିକ୍ ପୋଲିସ, DPCC ଏବଂ ପୌର ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି । ସୀମାନ୍ତ ଅଞ୍ଚଳ ଓ ବିଭିନ୍ନ ପ୍ରମୁଖ ସ୍ଥାନରେ ଲାଗିଥିବା ANPR କ୍ୟାମେରା ଜରିଆରେ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯିବ । ଉଲ୍ଲଂଘନକାରୀଙ୍କୁ ଇ-ଚାଲାଣ କରାଯିବା ସହ ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରାଯିବ । ଏହା ସହିତ AI ଆଧାରିତ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର (ICCC) ମାଧ୍ୟମରେ କ୍ୟାମେରା ଫିଡ୍, ଚାଲାଣ ଓ କାର୍ଯ୍ୟାନୁଷ୍ଠାନ ଉପରେ ନଜର ରଖାଯିବ । ଅନଧିକୃତ ନିର୍ମାଣ କାର୍ଯ୍ୟ ଧରାପଡ଼ିଲେ ବନ୍ଦ ନୋଟିସ୍, ପରିବେଶ କ୍ଷତିପୂରଣ ଜରିମାନା ଏବଂ ଆବଶ୍ୟକ ହେଲେ ସିଲ୍ କରିବା ଭଳି ପଦକ୍ଷେପ ନିଆଯିବ ।
ଅନ୍ୟପଟେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସହରବାସୀ, ଯାନବାହନ ମାଲିକ, ନିର୍ମାଣ ସଂସ୍ଥା ଓ ବ୍ୟବସାୟୀମାନଙ୍କୁ ନିୟମ ପାଳନ କରିବାକୁ ଅପିଲ୍ କରିଛନ୍ତି । ନିଷିଦ୍ଧ ଯାନବାହନ ଦିଲ୍ଲୀ ଭିତରକୁ ନଆଣିବା, ବାହ୍ୟ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା, ସାର୍ବଜନୀନ ପରିବହନ ଓ କାର୍ପୁଲିଂ ବ୍ୟବହାର କରିବା ସହ ଖୋଲା ସ୍ଥାନରେ ଅଳିଆ ଓ ଶୁଖିଲା ପତ୍ର ନ ଜାଳିବାକୁ ସେ ନିବେଦନ କରିଛନ୍ତି । ତେବେ ଶୀତଦିନେ ଦିଲ୍ଲୀର ବାୟୁ ପ୍ରଦୂଷଣ ମାତ୍ରା କମାଇବା ଏବଂ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାରଙ୍କ ଏହି କଟକଣା କେତେ ପ୍ରଭାବଶାଳୀ ହେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
