ଜଳେଶ୍ୱର : ଧାମ ବିବାଦର ପଡ଼ିଲା ପୂର୍ଣ୍ଣଚ୍ଛେଦ । ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ । ଜଗନ୍ନାଥ ଧାମ ବଦଳରେ ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର । ଧାମ ଶବ୍ଦ ହଟିବା ନେଇ ଗତକାଲି ବଡ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଆଜି ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ଯ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଧାମ ଶବ୍ଦ ହଟା ଯାଇଛି । ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆ ଯାଇଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଧିକାରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଦୀଘା ଜଗନ୍ନାଥ ମନ୍ଦିର ନାଁରେ ଧାମ ଯୋଡ଼ିବା ସନାତନ ଓ ଭାରତୀୟ ସଂସ୍କୃତି ସହ ଠିକ୍ ହୋଇନାହିଁ। ଏ ବାବଦରେ ସମସ୍ତ ପ୍ରକାର କାଗଜପତ୍ର ସେ ଦେଖିଛନ୍ତି। ପଶ୍ଚିମବଙ୍ଗର ପୂର୍ବ ସରକାର ଏହାର ନାମ ଶ୍ରୀ ଶ୍ରୀ ଜଗନ୍ନାଥ ଧାମ କଲ୍ଚରାଲ ସେଣ୍ଟର ରଖିଥିଲେ। ଟେକ୍ନିକାଲି ଗତ ସରକାର ଏହାକୁ ସରକାରୀ ନାମକରଣ ଭାବେ ପ୍ରସ୍ତୁତ କରିଛନ୍ତି । ଏହା ଭିତରେ ଧାମ ଶବ୍ଦ ଭର୍ତ୍ତି କରିଦେଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏନେଇ ଯେଉଁ ଚିଠି ଲେଖିଛନ୍ତି, ତାକୁ ସ୍ବୀକାର କରୁଛି ।
