ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଜନ୍ମ ନେଇଥିବା ବିରଳ ‘ଯୋଡ଼ା ମୁଣ୍ଡ’ ଶିଶୁର ମୃତ୍ୟୁ ହୋଇଛି । ଗତ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ଶିଶୁଟି ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଶେଷରେ ଆଖି ବୁଜିଛି । ଶିଶୁଟିର ଦୁଇଟି ମୁଣ୍ଡ ଥିବା ବେଳେ ଶରୀର କିନ୍ତୁ ଗୋଟିଏ ଥିଲା । ତା’ର ଗୋଟିଏ ହୃଦପିଣ୍ଡ , ଦୁଇଟି ହାତ ଏବଂ ଦୁଇଟି ଗୋଡ଼ ରହିଥିଲା । ଚିକିତ୍ସା ବିଜ୍ଞାନରେ ଏଭଳି ଶିଶୁ ଜନ୍ମ ହେବା ଅତ୍ୟନ୍ତ ବିରଳ।
ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ଥିବାରୁ ଜନ୍ମ ସମୟରୁ ହିଁ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା । ଶିଶୁଟିର ଗୁରୁତର ଅବସ୍ଥାକୁ ଦେଖି ଏମକେସିଜି ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରିଥିଲେ । ଶିଶୁରୋଗ ବିଶେଷଜ୍ଞଙ୍କ ନଜରରେ ଶିଶୁଟିର ବିଭିନ୍ନ ପରୀକ୍ଷା ନିରୀକ୍ଷା ଏବଂ ନିରନ୍ତର ଚିକିତ୍ସା ଚାଲିଥିଲା । ତେବେ ଗୋଟିଏ ମାତ୍ର ହୃଦପିଣ୍ଡ ଉପରେ ଦୁଇଟି ମସ୍ତିଷ୍କ ତଥା ଶରୀରର ରକ୍ତ ସଞ୍ଚାଳନ ଚାପ ପଡ଼ୁଥିବାରୁ ଏବଂ ଅଙ୍ଗପ୍ରତ୍ୟଙ୍ଗ ସମ୍ପୂର୍ଣ୍ଣ ବିକଶିତ ହୋଇନଥିବାରୁ ଶିଶୁଟିର ଅବସ୍ଥା କ୍ରମାଗତ ଭାବେ ଅବନତି ଆଡ଼କୁ ଯାଇଥିଲା ।
ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଶେଷରେ ଶିଶୁଟିର ମୃତ୍ୟୁ ଘଟିଛି । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ତିଡ଼ିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କର ଏହା ପ୍ରଥମ ସନ୍ତାନ ଥିଲା । ବିବାହ ପରେ ପ୍ରଥମ ସନ୍ତାନର ଆଗମନକୁ ନେଇ ପରିବାର ବହୁ ଆଶା ବାନ୍ଧିଥିଲା । କିନ୍ତୁ ଶିଶୁଟିର ଏପରି ଅବସ୍ଥା ଏବଂ ଶେଷରେ ତାର ମୃତ୍ୟୁ ଖବର ପରିବାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
