ଅକ୍ଟୋବର ୧୭ ତାରିଖରେ ସୂର୍ଯ୍ୟ କନ୍ୟା ରାଶିରୁ ବାହାରି ତୁଳା ରାଶିକୁ ଚଳନ କରିବେ । ଏହି ଦିନ ଶାରଦୀୟ ନବରାତ୍ରିର ସପ୍ତମୀ ତିଥି ପଡ଼ୁଛି । ବିଶେଷ କଥା ହେଉଛି, ତୁଳା ରାଶିରେ ପୂର୍ବରୁ ବୁଧ ଓ ଶୁକ୍ର ଅବସ୍ଥାନ କରୁଛନ୍ତି। ତେଣୁ ଅକ୍ଟୋବର ୧୭ରେ ସୂର୍ଯ୍ୟଙ୍କ ଏହି ରାଶିକୁ ଗୋଚର ହେବା ଫଳରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଏହା ସହିତ ତୁଳା ରାଶିରେ ବୁଧ ଓ ସୂର୍ଯ୍ୟଙ୍କ ମିଳନରୁ ବୁଧାଦିତ୍ୟ ଯୋଗ ଏବଂ ସୂର୍ଯ୍ୟ ଓ ଶୁକ୍ରଙ୍କ ମିଳନରୁ ଶୁକ୍ରାଦିତ୍ୟ ଯୋଗ ଗଠନ ହେବ । ବୁଧ ଓ ଶୁକ୍ରଙ୍କ ମିଳନରୁ ଏହି ରାଶିରେ ପୂର୍ବରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ରହିଛି । ଆସନ୍ତୁ ଜାଣିବା, ସୂର୍ଯ୍ୟଙ୍କ ଏହି ଗୋଚର କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ ।
ସିଂହ ରାଶି:
ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଏହି ଗୋଚର ଶୁଭ ଫଳ ଆଣିପାରେ। ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବା ସହ ବ୍ୟକ୍ତିତ୍ୱରେ ନୂଆ ଚମକ ଆସିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିପାରେ। ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ପଦୋନ୍ନତି ସହ ଦରମା ବୃଦ୍ଧିର ମଧ୍ୟ ସଙ୍କେତ ମିଳୁଛି। ବ୍ୟବସାୟୀମାନେ ନୂଆ ଯୋଜନାରୁ ଲାଭ ପାଇପାରନ୍ତି। ସମାଜରେ ଆପଣଙ୍କ ପରିଚୟ ମଜବୁତ ହେବା ସହ ମାନ-ସମ୍ମାନ ବୃଦ୍ଧି ପାଇପାରେ।
ତୁଳା ରାଶି:
ତୁଳା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଗୋଚର ଅନେକ ନୂଆ ସୁଯୋଗ ଆଣିପାରେ। ତ୍ରିଗ୍ରହୀ ଯୋଗର ପ୍ରଭାବରେ ଆର୍ଥିକ ସ୍ଥିତି ଭଲ ହେବାର ସମ୍ଭାବନା ରହିଛି। ସଫଳତା ପାଇଁ ନୂଆ ରାସ୍ତା ଖୋଲିପାରେ। ବ୍ୟବସାୟୀମାନେ କୌଣସି ବଡ଼ ସଫଳତା ହାସଲ କରିପାରନ୍ତି। ବ୍ୟବସାୟ ବଢ଼ାଇବା ଓ ନୂଆ ଚୁକ୍ତି କରିବାର ସୁଯୋଗ ମିଳିପାରେ। ସମାଜରେ ଆପଣଙ୍କ ପ୍ରଭାବ ବଢ଼ିବ। ପରିବାରରେ ସୁଖଶାନ୍ତି ବଜାୟ ରହିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଭଲ ଫଳାଫଳ ପାଇବାର ସମ୍ଭାବନା ରହିଛି।
ମକର ରାଶି:
ମକର ରାଶିର ଲୋକଙ୍କ ପାଇଁ ଏହି ସମୟ ଧନ ଓ କ୍ୟାରିୟର ଦୃଷ୍ଟିରୁ ଅନୁକୂଳ ରହିପାରେ। ବ୍ୟବସାୟୀମାନଙ୍କୁ ଲାଭ ବଢ଼ାଇବା ପାଇଁ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟର ସମ୍ପ୍ରସାରଣ ପାଇଁ କରିଥିବା ଯୋଜନା ମଧ୍ୟ ସଫଳ ହୋଇପାରେ। ପୈତୃକ ସମ୍ପତ୍ତିରୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଚାକିରି କରୁଥିବା ଲୋକଙ୍କୁ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ । ଏହାଦ୍ୱାରା ଆଗକୁ ବଢ଼ିବାର ରାସ୍ତା ସହଜ ହେବ। ପୁରୁଣା ବକେୟା ଟଙ୍କା ଫେରିପାଇ ଆଶ୍ୱସ୍ତି ମିଳିପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା କିମ୍ବା କୌଣସି ବଡ଼ ପ୍ରକଳ୍ପରେ କାମ ଆରମ୍ଭ କରିବା ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିପାରେ ।
ସୂର୍ଯ୍ୟଙ୍କ ଗୋଚର ପାଇଁ କରନ୍ତୁ ଏହି ଉପାୟ:
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ଗୋଚର ପରେ ଜୀବନରେ କୌଣସି ସମସ୍ୟା ଦେଖାଦେଲେ କିଛି ବିଶେଷ ଉପାୟ କରିପାରିବେ । ପ୍ରତିଦିନ ତମ୍ବା ପାତ୍ରରେ ପାଣି ନେଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ । “ଓଁ ସୂର୍ଯ୍ୟାୟ ନମଃ” ମନ୍ତ୍ର ଜପ କରନ୍ତୁ । ଗହମ, ଗୁଡ଼ ଓ ତମ୍ବା ପାତ୍ର ଆଦି ଦାନ କରନ୍ତୁ । ନିଜ ସାମର୍ଥ୍ୟ ଅନୁସାରେ ଧନ କିମ୍ବା ଖାଦ୍ୟ ସାମଗ୍ରୀ ମଧ୍ୟ ଦାନ କରିପାରିବେ ।
