ଭୁବନେଶ୍ୱର : ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍ । ନିଖୋଜ ଫାଇଲ୍ ମାମଲା: ପୋଲିସକୁ ପୂର୍ଣ୍ଣ ସହଯୋଗ ପାଇଁ ପ୍ରସ୍ତୁତ ଭି.କେ. ପାଣ୍ଡିଆନ୍ । ନିଖୋଜ ଫାଇଲ୍ ମାମଲାରେ ଜୁଲାଇ ୨୫ରେ ହାଜର ହେବାକୁ ପୋଲିସ ପକ୍ଷରୁ କୁହାଯିବା ପରେ ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ୍ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ଜଣାଇଛନ୍ତି । ବର୍ତ୍ତମାନ ସେ ବିଦେଶରେ ଥିଲେ ମଧ୍ୟ ପୋଲିସର ଯୋଗାଯୋଗ ପରେ ତୁରନ୍ତ ଏହାର ଉତ୍ତର ଦେଇଥିବା ଜଣାପଡ଼ିଛି । ବୃତ୍ତିଗତ କାର୍ଯ୍ୟ ପାଇଁ ସେ ଦେଶ ବାହାରେ ରହିଥିବାବେଳେ ନିଜର ଭାରତ ଫେରିବା କାର୍ଯ୍ୟସୂଚୀ ସମ୍ପର୍କରେ ମଧ୍ୟ ପୋଲିସକୁ ଅବଗତ କରାଇଛନ୍ତି । ପାଣ୍ଡିଆନ୍ ଅଗଷ୍ଟ ୧୨ରେ ଭାରତ ଫେରିବେ ଏବଂ ଫେରିବା ପରେ ତୁରନ୍ତ ତଦନ୍ତରେ ପୋଲିସକୁ ସହଯୋଗ କରିପାରିବେ ବୋଲି ତାଙ୍କ ପକ୍ଷରୁ ଜଣାଇ ଦିଆଯାଇଛି । ତେବେ ମାମଲା ଜରୁରୀ ହୋଇଥିଲେ ଭାରତ ଫେରିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ତଦନ୍ତରେ ସାମିଲ ହେବାକୁ ସେ ପ୍ରସ୍ତୁତ । ପୋଲିସର ସୁବିଧା ଅନୁସାରେ ସମୟ ଧାର୍ଯ୍ୟ କରାଗଲେ ସେ VC ମାଧ୍ୟମରେ ଉପଲବ୍ଧ ହେବେ ବୋଲି ଜଣାଇଛନ୍ତି ।
