Saturday, September 26, 2026
29.8 C
Odisha

    ନୂଆ ଯୁବ ଭୋଟରଙ୍କ ନାମ ସାମିଲକୁ ନେଇ ବଢ଼ିଲା ଚର୍ଚ୍ଚା, ୨୦୨୪ ପରଠୁ ହୋଇନି ବାର୍ଷିକ ଭୋଟର ତାଲିକା ସଂଶୋଧନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ନୂଆ ଭୋଟରଙ୍କୁ ନେଇ ବଢ଼ିଲା ପ୍ରଶ୍ନ । ୨୦୨୪ ପରଠୁ ହୋଇନି ବାର୍ଷିକ ଭୋଟର ତାଲିକା ସଂଶୋଧନ-SSR । ୧୮ ବର୍ଷିୟ ଭୋଟରଙ୍କ ପାଇଁ SSR କେବେ? SIR ଚାଲିଛି, SSR କାହିଁକି ଅଟକିଛି? ନୂଆ ଯୁବ ଭୋଟରଙ୍କ ନାମ ସାମିଲକୁ ନେଇ ବଢ଼ିଲା ଚର୍ଚ୍ଚା । ଦେଶରେ ପ୍ରତିବର୍ଷ ହେଉଥିବା ଭୋଟର ତାଲିକାର ସ୍ପେଶାଲ ସମାରୀ ରିଭିଜନ୍ -SSR ୨୦୨୪ ପରଠାରୁ ଆଉ ହୋଇନାହିଁ । ୨୦୨୬-୨୭ ବର୍ଷ ପାଇଁ ମଧ୍ୟ ଏହି ବାର୍ଷିକ ସଂଶୋଧନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ସାଧାରଣତଃ ମେ’ ଶେଷ କିମ୍ବା ଜୁନ୍ ପ୍ରଥମ ଭାଗରେ ଏଥିପାଇଁ ନିର୍ଦ୍ଦେଶ ଜାରି ହୋଇଥାଏ ।

    ଚଳିତ ବର୍ଷ ସେହି ସମୟ ଅତିକ୍ରମ କରିସାରିଥିବାରୁ ନୂଆ କରି ୧୮ ବର୍ଷ ପୂରଣ କରୁଥିବା ଯୁବ ଭୋଟରଙ୍କ ନାଁ ବ୍ୟାପକ ଭାବେ ତାଲିକାଭୁକ୍ତ କରିବା ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୧୯୫୮ରୁ ଦେଶରେ ବାର୍ଷିକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଆସୁଥିଲା । SSR ଜରିଆରେ ନୂଆ ଭୋଟରଙ୍କ ନାମ ସାମିଲ କରିବା ସହ ତାଲିକାରେ ଥିବା ତ୍ରୁଟି ସୁଧାର ଏବଂ ଅଯୋଗ୍ୟ ନାମ ବାଦ୍ ଦେବା ଭଳି କାମ କରାଯାଏ । ଦୀର୍ଘ ବର୍ଷ ଧରି ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଆସୁଥିଲା । କିନ୍ତୁ ୨୦୨୪ SSR ପରେ ୨୦୨୫ରେ ବିହାରରୁ ସ୍ପେଶାଲ ଇଣ୍ଟେନ୍ ସିଭ୍ ରିଭିଜନ୍ (SIR) ଆରମ୍ଭ ହେବା ପରଠାରୁ ଦେଶବ୍ୟାପୀ ବାର୍ଷିକ SSR ଆଉ ହୋଇନାହିଁ ।

    ଏହି ପ୍ରସଙ୍ଗରେ ନିର୍ବାଚନ କମିଶନ ଭିତରେ ଭିନ୍ନ ମତ ଥିବା ନେଇ ମଧ୍ୟ ରିପୋର୍ଟ ଆସିଛି। ଦି ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ବାର୍ଷିକ SSR ପୁଣି ଆରମ୍ଭ କରିବା ସପକ୍ଷରେ ମତ ରଖିଛନ୍ତି । SIR ଚାଲିଥିବା ସମୟରେ SSRର ଆବଶ୍ୟକତା ଅଛି କି ନାହିଁ, ସେନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଇନଗତ ମତ ଲୋଡ଼ିଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ଆଇନଗତ ମତ ଆସିବା ପରେ ମଧ୍ୟ ଦୁଇ ନିର୍ବାଚନ କମିଶନର SSR ପୁଣି ଆରମ୍ଭ କରିବା ନେଇ ନିଜ ମତରେ ଅଟଳ ରହିଥିବା ରିପୋର୍ଟ ହୋଇଛି । SSR ଯୁବ ଭୋଟରଙ୍କ ପାଇଁ ବିଶେଷ ଗୁରୁତ୍ୱ ରଖେ । ଏହି ସମୟରେ ବୁଥ୍ ସ୍ତରରେ ଅଭିଯାନ ଚଳାଇ ନୂଆ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ କରାଯାଇଥାଏ ।

    ଏବେ ଭୋଟର ଭାବେ ନାମ ପଞ୍ଜୀକରଣ ପାଇଁ ବର୍ଷକୁ ଚାରିଟି ଯୋଗ୍ୟତା ତାରିଖ—ଜାନୁଆରୀ ୧, ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧—ରହିଛି । ଫଳରେ ୧୮ ବର୍ଷ ପୂରଣ କରୁଥିବା ଯୋଗ୍ୟ ନାଗରିକଙ୍କୁ ପୂରା ବର୍ଷ ଅପେକ୍ଷା କରିବାକୁ ପଡ଼ୁନାହିଁ । ତେବେ SSR ନ ହେବାର ଅର୍ଥ ନୂଆ ଯୁବକ-ଯୁବତୀଙ୍କ ଭୋଟର ଭାବେ ପଞ୍ଜୀକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି, ତାହା ନୁହେଁ। ଯୋଗ୍ୟ ନାଗରିକଙ୍କ ପାଇଁ ନିରନ୍ତର ନାମ ପଞ୍ଜୀକରଣର ବ୍ୟବସ୍ଥା ରହିଛି । ତେଣୁ ବର୍ତ୍ତମାନର ବିବାଦର ମୂଳ ପ୍ରଶ୍ନ ଯୁବ ଭୋଟରଙ୍କ ନାମ ଆଦୌ ଯୋଡ଼ାଯାଇପାରିବ କି ନାହିଁ, ତାହା ନୁହେଁ; ବରଂ SIR ସହିତ ପୂର୍ବଭଳି ଦେଶବ୍ୟାପୀ ବାର୍ଷିକ SSR ମଧ୍ୟ ଜାରି ରହିବା ଦରକାର କି ନାହିଁ, ତାହାକୁ ନେଇ ମତଭେଦ ରହିଛି ।

    ଅନ୍ୟପଟେ ନିର୍ବାଚନ କମିଶନ ଆଭ୍ୟନ୍ତରୀଣ ମତଭେଦ ସମ୍ପର୍କିତ ରିପୋର୍ଟ ଉପରେ ନିଜ ପକ୍ଷ ରଖିଛନ୍ତି । କମିଶନ ସୂତ୍ରର କହିବା ଅନୁସାରେ, ବିଚାରବିମର୍ଶ ସମୟରେ ଭିନ୍ନ ମତ ଓ ପରାମର୍ଶ ଆସିବା ସ୍ୱାଭାବିକ । SIR ସମେତ କମିଶନର ଚୂଡ଼ାନ୍ତ ନିଷ୍ପତ୍ତି ତିନି ସଦସ୍ୟଙ୍କ ସହମତିରେ ନିଆଯାଇଥିବା କମିଶନ ପକ୍ଷରୁ କୁହାଯାଇଛି । ଏହା ସତ୍ତ୍ୱେ ୨୦୨୬-୨୭ ପାଇଁ ବାର୍ଷିକ SSR ଏପର୍ଯ୍ୟନ୍ତ ଘୋଷଣା ହୋଇନଥିବାରୁ ଭୋଟର ତାଲିକାରେ ପ୍ରତିବର୍ଷ ସାମିଲ ହେଉଥିବା ନୂଆ ପିଢ଼ିର ଭୋଟରଙ୍କୁ ନେଇ ଏହି ପ୍ରସଙ୍ଗ ଏବେ ନିର୍ବାଚନ କମିଶନକୁ ନେଇ ଚାଲିଥିବା ବ୍ୟାପକ ଚର୍ଚ୍ଚାର ଆଉ ଏକ ପ୍ରମୁଖ ବିଷୟ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    68 %
    2.8kmh
    82 %
    Sat
    31 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ