ଭୁବନେଶ୍ୱର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ । ଏଥିପାଇଁ ପୋଲିସ ଏବେଠୁ ସର୍ତକ ହୋଇଛି । ବଳପୂର୍ବକ ଚାନ୍ଦା ଆଦାୟ ଉପରେ ରୋକ୍ ଲଗାଇଛି । ଚାନ୍ଦା ଆଳରେ ବଟି ମାଗିଲେ ପଡ଼ିବ ମହଙ୍ଗା । ବଳପୂର୍ବକ ଚାନ୍ଦା ମାଗୁଥିବା ଲୋକଙ୍କ ଉପରେ ଆକ୍ସନ ନେବ ପୋଲିସ । ଏନେଇ ଏଥର ପାର୍ବଣ ପୂର୍ବରୁ ପ୍ରସ୍ତୁତ ହେଉଛି ପୋଲିସ। ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ସ୍ଥାନୀୟ ଲୋକଙ୍କୁ କେହି ଏପରି ଚାନ୍ଦା ନାରେ ହଇରାଣ କଲେ ୮୨୮୦୩୩୮୩୦୨ ହେଲ୍ପ ଲାଇନ ନମ୍ବରରେ ଜଣାଇଲେ ଆକ୍ସନ ନେବ ପୋଲିସ । ଏନେଇ ବିଭିନ୍ନ ପୂଜାମଣ୍ଡପ ଓ ପୂଜା କମିଟି ସମେତ ଅନେକ ଲୋକଙ୍କୁ ଅବଗତ କରିଛି ପୋଲିସ।
ସୂଚନାଯୋଗ୍ୟ, ତତ୍କାଳୀନ ପୋଲିସ୍ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ବେଳେ ‘ଦାଦା ବଟିକୁ ନା’ ଅଭିଯାନର ମୂଳଦୂଆ ପଡି଼ଥିଲା । ଲୋକାଲ ଦାଦାଙ୍କୁ କାବୁ କରିବାକୁ ଗଢ଼ାହୋଇଥିଲା ‘ଆଣ୍ଟି ଏକ୍ସଟୋର୍ସନ ଟାସ୍କ ଫୋର୍ସ’ । ଉଦ୍ଦେଶ୍ୟ ଥିଲା, ନିରୀହ ଲୋକଙ୍କୁ ହଇରାଣ କରୁଥିବା ଅସାମାଜିକଙ୍କ ଉପରେ ଦୃଢ଼ ଆକ୍ସନ ନେବ ଏହି ଟାସ୍କ ଫୋର୍ସ । ସେମାନଙ୍କୁ ତୁରନ୍ତ ଗିରଫ କରାଯିବ । ଦରକାର ପଡ଼ିଲେ, ଆଣ୍ଟି ସୋସିଆଲ୍ଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍(ଏନ୍ଏସ୍ଏ) ଛାପ ଲାଗିବ । ଏହି ଅଭିଯାନ ବେଶ୍ କିଛି ମାସ ଜୋର୍ସୋରରେ ଚାଲିଲା । ପରେ ଧୀମା ପଡ଼ିଗଲା ।
