Tuesday, October 13, 2026
30.8 C
Odisha

    ହାର୍ ମାନିଗଲା ପ୍ରଳୟ, ପ୍ରଚଣ୍ଡ ବନ୍ୟା ସ୍ରୋତ ଭିତରେ ନିରବ ସାକ୍ଷୀ ରହିଲା ଏହି ସବୁଜ ଘର

    ଆଗକୁ ପଢନ୍ତୁ

    ନେପାଳ : ନେପାଳ ପ୍ରଳୟ ଭିତରେ ଅକ୍ଷତ ‘ସବୁଜ ଘର’ । ପ୍ରଳୟର ନିରବ ସାକ୍ଷୀ । ତ୍ରିଶୂଳୀରେ ପ୍ରଚଣ୍ଡ ବନ୍ୟା ସ୍ରୋତ ମାଡ଼ିଗଲା, ତଥାପି ଅକ୍ଷତ ରହିଲା ଘର । ଚାରିଆଡ଼େ ପାଣିର ପ୍ରଚଣ୍ଡ ସ୍ରୋତ । ସାଙ୍ଗରେ ମାଟି, ପଥର ଓ ଭଗ୍ନାବଶେଷ । ଯାହା ସାମ୍ନାରେ ପଡ଼ିଲା, ତାହାକୁ ଭସାଇ ନେଇଗଲା ଅଗଷ୍ଟ ୨୬ର ଭୟଙ୍କର ଆକସ୍ମିକ ବନ୍ୟା । ନେପାଳର ତ୍ରିଶୂଳୀ ଅଞ୍ଚଳରେ ଏହି ପ୍ରଳୟ ଅନେକ ସ୍ଥାନର ଚିତ୍ର ବଦଳାଇ ଦେଇଥିବାବେଳେ ଏବେ ଏକ ସବୁଜ ରଙ୍ଗର ଘରର ଦୃଶ୍ୟ ସମସ୍ତଙ୍କ ନଜର ଟାଣିଛି । ବନ୍ୟାର ପ୍ରଚଣ୍ଡ ସ୍ରୋତ ମାଡ଼ି ଆସୁଥିବାବେଳେ ଘରଟି ତାହାରି ମଝିରେ ଛିଡ଼ା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପ୍ରଳୟ ପରେ ମଧ୍ୟ ସବୁଜ ରଙ୍ଗର ଏହି ଘରଟି ଅକ୍ଷତ ଅବସ୍ଥାରେ ରହି ଛି। ଚାରିପାଖରେ ବନ୍ୟା ତାଣ୍ଡବର ଚିହ୍ନ ଥିବାବେଳେ ଘରଟି କିନ୍ତୁ ମୁଣ୍ଡ ଟେକି ଛିଡ଼ା ହୋଇଛି ।

    ଅଗଷ୍ଟ ୨୬ରେ ନେପାଳ-ତିବ୍ବତ ସୀମାର ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବରଫ, ପଥର ଓ ଭଗ୍ନାବଶେଷର ବିଶାଳ ଅଂଶ ତଳକୁ ଖସିବା ପରେ ଭୟଙ୍କର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ପାଣି ସହ ବିପୁଳ ପରିମାଣର କାଦୁଅ, ପଥର ଓ ଭଗ୍ନାବଶେଷ ତଳମୁହାଁ ହୋଇ ମାଡ଼ି ଆସିଥିଲା । ଏହାର ପ୍ରଭାବରେ ତ୍ରିଶୂଳୀ ନଦୀ କରିଡରର ବିସ୍ତୀର୍ଣ୍ଣ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ପ୍ରଖର ସ୍ରୋତରେ ବିଭିନ୍ନ ସ୍ଥାନରେ ରାସ୍ତା ଓ ପୋଲ କ୍ଷତିଗ୍ରସ୍ତ ହେବା ସହ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକ ମଧ୍ୟ ବ୍ୟାପକ କ୍ଷତି ସହିଛି। ଅନେକ ସ୍ଥାନରେ ମାଟି ଓ ପଥରର ବିଶାଳ ସ୍ତର ଜମିଯାଇଛି । ଏଭଳି ଭୟାବହ ଧ୍ୱଂସ ଭିତରେ ସବୁଜ ଘରଟି ଅକ୍ଷତ ରହିବା ଏହି ଦୃଶ୍ୟକୁ ଆହୁରି ଚର୍ଚ୍ଚିତ କରିଛି। ତେବେ ଘରଟି କାହିଁକି ଓ କିପରି ଏତେ ପ୍ରଚଣ୍ଡ ବନ୍ୟା ସ୍ରୋତରୁ ବର୍ତ୍ତିଗଲା, ତାହାର କୌଣସି ଅଧିକୃତ ବୈଷୟିକ ବ୍ୟାଖ୍ୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ଘରର ନିର୍ମାଣଶୈଳୀ, ଏହା ଯେଉଁ ସ୍ଥାନରେ ରହିଛି ସେଠାର ଭୂପୃଷ୍ଠ କିମ୍ବା ବନ୍ୟା ସ୍ରୋତର ଗତିପଥ—ଏଥିମଧ୍ୟରୁ କେଉଁ କାରଣ ଘରଟିକୁ ବଞ୍ଚାଇଲା, ତାହା ସ୍ପଷ୍ଟ ନୁହେଁ। ତେଣୁ ଏନେଇ ଅନୁମାନ କରିବା ପରିବର୍ତ୍ତେ ବୈଷୟିକ ତଦନ୍ତର ତଥ୍ୟକୁ ଅପେକ୍ଷା କରିବା ଜରୁରୀ । ଏବେ ବି ତ୍ରିଶୂଳୀ ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ଉଦ୍ଧାର ଓ ସନ୍ଧାନ ଅଭିଯାନ ଚାଲିଛି। ଏହାରି ମଧ୍ୟରେ ଧ୍ୱଂସ ଓ ପ୍ରଳୟ ମଝିରେ ଛିଡ଼ା ହୋଇଥିବା ସବୁଜ ଘର ଅଗଷ୍ଟ ୨୬ ବିପର୍ଯ୍ୟୟର ଏକ ନିରବ ସାକ୍ଷୀ ପାଲଟିଛି।

    ବିପର୍ଯ୍ୟୟ ପରେ ଘରଟି ଅକ୍ଷତ ଭାବେ ଠିଆ ହୋଇଥିବାରୁ ଏହାକୁ ଅନେକେ ଚମତ୍କାର ବୋଲି କହୁଛନ୍ତି । କିନ୍ତୁ ଗୋଟିଏ ଘର କୌଣସି ବିପର୍ଯ୍ୟୟରେ କେତେ ମାତ୍ରାରେ କ୍ଷତିଗ୍ରସ୍ତ ହେବ, ତାହା ନିର୍ମାଣଗତ ଓ ଭୌଗୋଳିକ କାରଣ ଉପରେ ନିର୍ଭର କରେ । ନେପାଳରେ ଯେଉଁ ବନ୍ୟା ଆସିଥିଲା ତା’ର ଫୋର୍ସ ଭର୍ଟିକାଲ ଥିଲା । ପାଣିର ପ୍ରବଳ ସ୍ରୋତ ଘରର କାନ୍ଥରେ ସିଧା ମାଡ ହୋଇଥିଲା । ଏହି କାରଣରୁ ପାରମ୍ପାରିକ ଓ ପରୁଣା ଘର ମାତ୍ର କିଛି ମିନିଟ୍‌ରେ ତାସ୍ ଘର ଭଳି ଭାସିଗଲା । ତାହା ଭର୍ଟିକାଲ ଫୋର୍ସ ସହିପାରିଲାନି। ସେଭଳି ଏକମାତ୍ର ସେଠାରେ ଠିଆ ହୋଇଥିବା ଏହି ଘର କଙ୍କ୍ରିଟ୍ ଓ ଷ୍ଟିଲ୍‌ରେ ତିଆରି ହୋଇଥିଲା । ଏହାର ମୂଳଦୁଆ ଖୁବ୍ ଗଭୀର ଥିଲା । ତା ଛଡା ଘରଟି ଅପେକ୍ଷାକୃତ ଉଚ୍ଚତାରେ ଥିଲା । ଏହି କାରଣରୁ ତାହା ଭୀଷଣ ଭର୍ଟିକାଲ ଫୋର୍ସକୁ ବି ସହ୍ୟ କରି ଠିଆ ହୋଇ ରହିଥିଲା। ଫଳରେ ଏହା ଘର ମାଲିକଙ୍କ ପାଇଁ ସାକ୍ଷାତ ବରଦାନ ପାଲଟିଥିଲା । ଏହି ଦୁଃଖଦ ଘଟଣା ମଧ୍ୟରେ ଘରର ସ୍ଥିତି ବିଶ୍ୱସ୍ତରୀୟ ଆଲୋଚନାର ବିଷୟ ପାଲଟିଛି । ଏକ୍ସରେ ଅନେକ ବିଶେଷଜ୍ଞ ସେମାନଙ୍କର ମତାମତ ଦେଉଛନ୍ତି। କିଏ ଏହାକୁ ପ୍ରକୃତିର ଚମତ୍କାର ବୋଲି କହୁଛନ୍ତି ତ ଆଉ କିଏ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି। ତେବେ ଆଉ କିଛି ଲୋକ ଏହା ପଛରେ ବିଜ୍ଞାନର ଶ୍ରେୟ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.8 ° C
    30.8 °
    30.8 °
    50 %
    1.9kmh
    19 %
    Tue
    31 °
    Wed
    29 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ