Thursday, October 15, 2026
21.9 C
Odisha

    ବର୍ଷା ଦିନରେ ଗର୍ଭବତୀ ପତ୍ନୀଙ୍କ ଯତ୍ନ କିପରି ନେବେ? ସ୍ୱାମୀମାନେ ଏହି କଥାକୁ କରନ୍ତୁ ନାହିଁ ଅଣଦେଖା

    ଆଗକୁ ପଢନ୍ତୁ

    ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା ହେଉଛି ଗର୍ଭାବସ୍ଥା । ଏହି ସମୟ ସବୁ ନାରୀଙ୍କ ପାଇଁ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ନାରୀଟିଏ ଏହି ସମୟରେ ନିଜର ଅଧିକ ଯତ୍ନ ନେଇଥାଏ । ଖାସ୍‌ କରି ଜୀବନଶୈଳୀ ଉପରେ ପୂରା ଧ୍ୟାନ ରଖିଥାଏ । ଏହି ସମୟରେ ଯତ୍ନ ନେବା ମହିଳା ଏବଂ ତାଙ୍କ ଗର୍ଭରେ ଥିବା ପିଲା ଉପରେ ପ୍ରଭାବ ପକାଇଥାଏ । କିନ୍ତୁ ବର୍ଷା ଋତୁରେ ଗର୍ଭାବସ୍ଥା ସମୟ କିଛିଟା ଚ୍ୟାଲେଞ୍ଜିଂ ହୋଇପାରେ। ଏହି ସମୟରେ ଭାଇରାଲ ଜ୍ୱର, ଫୁଡ୍ ପଏଜନିଂ, ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗର ଆଶଙ୍କା ବଢ଼ିଯାଇଥାଏ । ଗର୍ଭବତୀ ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ପରିବର୍ତ୍ତନ ଆସୁଥିବାରୁ ସେମାନେ ସହଜରେ ସଂକ୍ରମଣର ଶିକାର ହୋଇପାରନ୍ତି । ତେଣୁ ଏହି ସମୟରେ ସ୍ୱାମୀମାନେ ନିଜ ଗର୍ଭବତୀ ପତ୍ନୀଙ୍କର ବିଶେଷ ଯତ୍ନ ନେବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ କିପରି ଯତ୍ନ ନେବା ଉଚିତ୍ ସେ ସମ୍ପର୍କରେ ଜାଣିବା ।

    ବିଶେଷଜ୍ଞଙ୍କ ଅନୁସାରେ, ବର୍ଷା ଦିନରେ ମଧ୍ୟ ଶରୀରରେ ପାଣିର ଅଭାବ ହେବା ଉଚିତ୍ ନୁହେଁ । ଗର୍ଭବତୀ ମହିଳା ପ୍ରତିଦିନ ୨ରୁ ୨.୫ ଲିଟର ବିଶୁଦ୍ଧ କିମ୍ବା ଫୁଟା ପାଣି ପିଇବା ଆବଶ୍ୟକ । ଏହା ସହ ନଡ଼ିଆ ପାଣି, ଲେମ୍ବୁ ପାଣି, ଘରେ ପ୍ରସ୍ତୁତ ତାଜା ଫଳ ରସ ପିଇବା ଉଚିତ୍ । ଗର୍ଭବତୀ ମହିଳାମାନେ ସକାଳେ ଖାଲିପେଟରେ ଭିଜା ବାଦାମ, ହଳଦୀ କିମ୍ବା କେଶର କ୍ଷୀର ପିଇବା ସେମାନଙ୍କ ସ୍ବାସ୍ଥ୍ୟ ପକ୍ଷେ ବହୁ ହିତକର ହୋଇଥାଏ  ବୋଲି ବିବେଚନା କରାଯାଏ ।

    ଏଥିସହ ବର୍ଷା ଦିନରେ ଖାଦ୍ୟର ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ସବୁଜ ପନିପରିବାକୁ ଭଲଭାବେ ଧୋଇବା ସହ ଲୁଣ କିମ୍ବା ଭିନେଗାର ମିଶ୍ରିତ ପାଣିରେ କିଛି ସମୟ ଭିଜାଇ ରଖିବା ଉଚିତ୍ । ଫଳକୁ ଭଲ ଭାବରେ ଧୋଇ କାଟିବା ପରେ ସଙ୍ଗେସଙ୍ଗେ ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦିଅନ୍ତୁ। ଗର୍ଭାବସ୍ଥା ସମୟରେ ଷ୍ଟ୍ରିଟ୍ ଫୁଡ୍‌ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ପରବର୍ତ୍ତୀ ସମୟରେ ବିପଦ ସୃଷ୍ଟି କରିପାରେ ।

    ଗର୍ଭାବସ୍ଥାରେ ଶରୀରର ସନ୍ତୁଳନରେ ପରିବର୍ତ୍ତନ ଆସିଥାଏ । ବର୍ଷା ଦିନରେ ରାସ୍ତାରେ ସ୍ଲିପ ଆଶଙ୍କା ବଢ଼ିଯାଏ । ତେଣୁ ଭଲ ଗ୍ରିପ୍‌ ଥିବା ଆଣ୍ଟି-ସ୍କିଡ୍ ଏବଂ ଆରାମଦାୟକ ଜୋତା କିମ୍ବା ଚପଲ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

    ବର୍ଷା ଯୋଗୁ ବାହାରେ ଚାଲିବା ସମ୍ଭବ ନ ହେଲେ, ଘର ଭିତରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଗ କିମ୍ବା ହାଲୁକା ବ୍ୟାୟାମ କରାଇବା ଉଚିତ୍। ଏହା ଶରୀରକୁ ସକ୍ରିୟ ରଖିବା ସହ ମାନସିକ ଚାପ କମାଇବାରେ ସାହାଯ୍ୟ କରିଥାଏ।

    ବର୍ଷା ଦିନରେ ମଶାଙ୍କ ପ୍ରକୋପ ବଢ଼ିଥାଏ। ଘରେ ମଶା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ। ତେବେ ପେଷ୍ଟ କଣ୍ଟ୍ରୋଲ୍‌ରେ ବ୍ୟବହୃତ ରାସାୟନିକ ପଦାର୍ଥରୁ ଗର୍ଭବତୀ ମହିଳାଙ୍କୁ ଦୂରରେ ରଖିବା ଉଚିତ୍।

    ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ମନସୁନ ସମୟରେ ଟିକିଏ ଅଧିକ ସତର୍କତା ଓ ଯତ୍ନ ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ