ଭୁବନେଶ୍ବର : ବାତ୍ୟା ସତର୍କତା ଜାରି କଲା JTWC । ବଙ୍ଗୋପସାଗର ସିଷ୍ଟମ୍ କୁ ନେଇ ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର – JTWC ‘ଟ୍ରପିକାଲ ସାଇକ୍ଲୋନ୍ 01B’ ସତର୍କତା ଜାରି କଲା । IMD ଗଭୀର ଅବପାତ କହିଥିବା ବେଳେ JTWC କହିଲା ବାତ୍ୟା। କଳିଙ୍ଗପଟ୍ଟନମ୍ ନିକଟରେ ଛୁଇଁବ ଉପକୂଳ। ବିଶାଖାପାଟଣା–ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ । ଘଣ୍ଟା ପ୍ରତି ୮୩ କିମି ପବନ ବହିବା ଆକଳନ କରିଛି ଜେଟିଡବ୍ଲୁସି । ଉତ୍ତର-ପଶ୍ଚିମ ଦିଗରେ ମାଡ଼ିଆସୁଛି ସିଷ୍ଟମ୍ ।JTWC ପକ୍ଷରୁ ଜାରି ସାଟେଲାଇଟ୍ ଚିତ୍ରରେ ସିଷ୍ଟମ୍ ଚାରିପାଖରେ ଘନ ବାଦଲ ସହ ସୁସଂଗଠିତ ଘୂର୍ଣ୍ଣନ ଦେଖିବାକୁ ମିଳିଛି ।
JTWCର ଟ୍ରାକ୍ ଅନୁଯାୟୀ, ସିଷ୍ଟମ୍ ଟି ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଆଡ଼କୁ ଗତି କରୁଛି । ଏହାର କେନ୍ଦ୍ର ପ୍ରାୟ ୧୭.୮ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୪.୬ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ରହିଥିବା ବେଳେ ଘଣ୍ଟା ପ୍ରତି ପ୍ରାୟ ୭ ନଟ୍ ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ଦର୍ଶାଯାଇଛି । ଛବିରେ ଦିଆଯାଇଥିବା ଆକଳନ ଅନୁସାରେ, ସିଷ୍ଟମ୍ ନିକଟରେ ସର୍ବାଧିକ ଏକ ମିନିଟ୍ ସ୍ଥାୟୀ ପବନ ବେଗ ପ୍ରାୟ ୪୫ ନଟ୍ ବା ଘଣ୍ଟା ପ୍ରତି ୮୩ କିଲୋମିଟର ରହିଛି । ଉପକୂଳ ନିକଟତର ହେବା ପରେ ଏହା ଧୀରେଧୀରେ ଦୁର୍ବଳ ହୋଇ ୪୦ ନଟ୍ , ପରେ ୩୫ ନଟ୍ ଏବଂ ସ୍ଥଳଭାଗରେ ପହଞ୍ଚିବା ପରେ ପ୍ରାୟ ୨୫ ନଟ୍ କୁ ହ୍ରାସ ପାଇପାରେ । ସମୁଦ୍ରରେ ସର୍ବାଧିକ ଢେଉର ଉଚ୍ଚତା ପ୍ରାୟ ୧୫ ଫୁଟ୍ ରହିଥିବା JTWC ଦର୍ଶାଇଛି ।
ତେବେ JTWC ଓ ଭାରତ ପାଣିପାଗ ବିଭାଗର ବାତ୍ୟା ବର୍ଗୀକରଣ ପଦ୍ଧତି ଭିନ୍ନ। JTWC ଏକ ମିନିଟ୍ ର ହାରାହାରି ପବନ ବେଗକୁ ଆଧାର କରି ଏହାକୁ ‘ଟ୍ରପିକାଲ ସାଇକ୍ଲୋନ୍ ’ କହୁଥିବାବେଳେ IMD ଏହାକୁ ଏବେ ବି ‘ଗଭୀର ଅବପାତ’ ଭାବେ ବର୍ଗୀକୃତ କରିଛି । ତେଣୁ JTWCର ସତର୍କତାକୁ ଭାରତୀୟ ପାଣିପାଗ ବ୍ୟବସ୍ଥାରେ ନାମକରଣ ହୋଇଥିବା ବାତ୍ୟା ବୋଲି ବୁଝିବା ଠିକ୍ ନୁହେଁ । IMD ଅନୁସାରେ, ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ୨୩ ସେପ୍ଟେମ୍ବର ରାତିରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟନମ୍ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।
