Tuesday, June 9, 2026
34.8 C
Odisha

    ଯୋଡ଼ିପତ୍ର ସାହାଯ୍ୟରେ ତାମିଲନାଡୁରେ ଫୁଟିବ କି ପଦ୍ମ

    ଆଗକୁ ପଢନ୍ତୁ

    ଚେନ୍ନାଇ: ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ, ତାମିଲନାଡୁ ରାଜନୀତି ପୁଣି ଥରେ ଏକ ଆକର୍ଷଣୀୟ ମୋଡ଼ ନେଇଛି। ପ୍ରାୟ ଦୁଇ ବର୍ଷର ତିକ୍ତ ପୃଥକୀକରଣ ପରେ ବିଜେପି ଏବଂ ଏଆଇଏଡିଏମ୍‌କେର ପୁଣି ମିଳନ ହେବାକୁ ନେଇ କେବଳ ନିର୍ବାଚନୀ ଗଣିତ ଭାବରେ ନୁହେଁ ବରଂ ତାମିଲନାଡୁର ରାଜନୈତିକ ଦିଗ ପରିବର୍ତ୍ତନ କରିବାର ପ୍ରୟାସ ଭାବରେ ମଧ୍ୟ ଦେଖାଯାଉଛି। କୁହାଯାଉଛି ଯୋଡ଼ିପତ୍ର(ଏଆଇଏଡିଏମ୍‌କେର ନିର୍ବାଚନ ଚିହ୍ନ)କୁ ବିଜେପି ଭରସା କରିବା ଆରମ୍ଭ କରିଛି। ଯୋଡ଼ିପତ୍ର ସାହାଯ୍ୟରେ ରାଜ୍ୟରେ ପଦ୍ମ ଫୁଟାଇବାକୁ ରଣନୀତି ଗ୍ରହଣ କରାଯାଇଛି।  ତେବେ ତାମିଲ ଭୂମିରେ ବିଜେପିର ‘ପଦ୍ମ’ ଫୁଟାଇବା ସେତେ ସହଜ ନୁହେଁ ବୋଲି ମଧ୍ୟ କୁହାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଏଆଇଏଡିଏମ୍‌କେ ଏବଂ ବିଜେପି ନେତାମାନେ ବିଶ୍ୱାସ କରନ୍ତି ଯେ, ସେମାନଙ୍କର ମେଣ୍ଟ ଏକ ‘ଅଜେୟ ମେଣ୍ଟ’ ଭାବରେ ଉଭା ହେବ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଏପି ମୁରୁଗନନ୍ଦମଙ୍କ ଅନୁସାରେ, ‘ବିଜେପିର ୧୮% ଏବଂ ଏଆଇଏଡିଏମ୍‌କେର ୨୫% ଭୋଟ ଅଂଶ ସ୍ୱୟଂଚାଳିତ ଭାବରେ ୪୩%ରେ ପହଞ୍ଚିଯାଉଛି। ଯଦି ଏଥିରେ ୭-୮% ଡିଏମକେ ବିରୋଧୀ ଭୋଟ ଯୋଡ଼ାଯାଏ, ତେବେ ଏହି ମେଣ୍ଟ ସ୍ପଷ୍ଟ ଭାବରେ ବିଜୟୀ ହୋଇପାରିବ।

    ସେହି ସମୟରେ, ଏଆଇଏଡିଏମ୍‌କେର ଥାଚାଇ ଗଣେଶରାଜା ମଧ୍ୟ ଦାବି କରିଛନ୍ତି ଯେ, ମେଣ୍ଟର ୪୦% ଭୋଟ ଅଛି। ସେ କୁହନ୍ତି, ଏବେ ବିଜେପି ପାଖରେ ୧୦ ରୁ ୧୨% ଭୋଟ ଅଛି, ଏଆଇଏଡିଏମ୍‌କେ ପାଖରେ ୨୫% ଅଛି। ଆମ ସହିତ ୭-୮% ଡିଏମ୍‌କେ ବିରୋଧୀ ଭୋଟ ରହିବ। ଫଳରେ ଏହା ୪୦% ଭୋଟ ହେବ। ଏହା ଦ୍ବାରା ଆମେ ନିର୍ବାଚନ ସହଜରେ ଜିତିବୁ।

    ଏଥର ଉଭୟ ଦଳର ନେତାଙ୍କ ସ୍ୱରକୁ ସଂଯମ କରାଯାଇଛି। ମତଭେଦ ପରେ ହୋଇଥିବା ଏହି ସହମତି ଏକ ରଣନୈତିକ ପଦକ୍ଷେପ, କିନ୍ତୁ ଏଥିରେ ରାଜନୈତିକ ବାଧ୍ୟବାଧକତା ମଧ୍ୟ ଲୁଚି ରହିଛି। ୨୦୨୪ ଲୋକସଭା ନିର୍ବାଚନରେ ​​ଉଭୟ ଦଳର ନିଜସ୍ୱ ପ୍ରଦର୍ଶନ ବିଶେଷ ନଥିଲା। ତେଣୁ, କ୍ଷମତାକୁ ଫେରିବା ପାଇଁ ଏକାଠି କାମ କରିବାର ମନ୍ତ୍ର ଗ୍ରହଣ କରାଯାଇଛି। କିନ୍ତୁ ଏହି ପଥ କ’ଣ ପ୍ରକୃତରେ ଉଭୟଙ୍କ ପାଇଁ ‘ବିଜୟ ପଥ’ ହୋଇଯିବ କି ବୋଲି ପ୍ରଶ୍ନ ଉଠିଛି।

    ତେବେ ଭୋଟରଙ୍କ ମନ କିଏ ପଢ଼ିପାରିବ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ସଂଖ୍ୟା ଦୃଷ୍ଟିରୁ ମେଣ୍ଟଟି ଶକ୍ତିଶାଳୀ ଦେଖାଯାଇପାରେ, କିନ୍ତୁ ଭୋଟରଙ୍କ ମନ ଏପର୍ଯ୍ୟନ୍ତ କେହି ପଢ଼ି ନାହାନ୍ତି। ଏଆଇଏଡିଏମ୍‌କେ ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ହେଉଛି ସଂଖ୍ୟାଲଘୁ ଭୋଟରମାନଙ୍କର ସମ୍ଭାବ୍ୟ ଭ୍ରମ। ଯେଉଁମାନେ ବିଜେପି ସହିତ ମେଣ୍ଟକୁ ଭଲ ଭାବରେ ଗ୍ରହଣ କରିପାରିବେ ନାହିଁ। ଅନେକ କର୍ମୀ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ଏହି ମେଣ୍ଟ ଦଳର ସ୍ୱାଧୀନ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ବିଜେପି ସହିତ ମେଣ୍ଟ ସଂଖ୍ୟାଲଘୁଙ୍କ ମଧ୍ୟରେ ଆମର ବିଶ୍ୱସନୀୟତାକୁ ଦୁର୍ବଳ କରିଛି।

    କିନ୍ତୁ, ବିଜେପି ପାଇଁ ଏହି ମେଣ୍ଟ ଏକ ‘ରଣନୈତିକ ସଫଳତା’ ପରି ମନେ ହେଉଛି। ବିଶେଷକରି ବିଜେପି ଦୀର୍ଘ ସମୟ ଧରି ତାମିଲନାଡୁରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଆଶାନୁରୂପ ସଫଳତା ପାଇନାହିଁ। ଏଆଇଏଡିଏମ୍‌କେ  ସହିତ ସମ୍ପର୍କ ତାଙ୍କୁ ଏକ ବିଶ୍ୱସନୀୟ ମଞ୍ଚ ଏବଂ ସ୍ଥାନୀୟ ସମର୍ଥନ ଦେଇପାରେ।

    ଏନଡିଏର ସଫଳତା କିପରି ଆଞ୍ଚଳିକ ଏବଂ ଜାତି ସମୀକରଣକୁ ସନ୍ତୁଳିତ କରିବ ତାହା ଉପରେ ମଧ୍ୟ ଫଳାଫଳ ନିର୍ଭର କରେ। ପଶ୍ଚିମ ଅଞ୍ଚଳର ଏଆଇଏଡିଏମ୍‌କେର ଗୌଣ୍ଡର ନେତାମାନେ ସେମାନଙ୍କ ସମ୍ପ୍ରଦାୟର ଭୋଟ୍ ପାଇବେ ବୋଲି ଆଶା କରାଯାଉଛି। ଦକ୍ଷିଣ ଅଞ୍ଚଳରେ ଥେଭର ସମ୍ପ୍ରଦାୟଙ୍କ ଭୋଟ୍ ହାତେଇବା ଉଦ୍ଦେଶ୍ୟରେ ନୈନର ନାଗେନ୍ଦ୍ରନ୍ ଅନ୍ନାମଲାଇଙ୍କୁ ବିଜେପି ରାଜ୍ୟ ସଭାପତି କରାଯାଇଛି। ଯଦି ପିଏମକେ ଭଳି ଦଳ ଏକାଠି ହୁଅନ୍ତି, ତେବେ ଏହି ମେଣ୍ଟ ଉତ୍ତର ତାମିଲନାଡୁରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରିପାରିବ।

    ମେଣ୍ଟ ଘୋଷଣା ପରେ ଅନେକ ଏଆଇଏଡିଏମ୍‌କେ  କର୍ମୀ ଏବଂ ନେତା ଅସନ୍ତୁଷ୍ଟ ଦେଖାଯାଉଥିଲେ। କେତେକ ଲୋକ ଭାବୁଛନ୍ତି ଯେ, ଦଳ ନିଜର ଆତ୍ମସମ୍ମାନ ହରାଇଛି। ଅମିତ ଶାହଙ୍କ ସାମ୍ବାଦିକ ସମ୍ମିଳନୀ ସମୟରେ ଏଆଇଏଡିଏମ୍‌କେ  ନେତୃତ୍ୱର ନୀରବତା କର୍ମୀମାନଙ୍କୁ ଅସହଜ କରିଦେଇଥିଲା। ଦଳର ଜଣେ ବରିଷ୍ଠ ସଦସ୍ୟ ବ୍ୟଙ୍ଗ କରି କହିଛନ୍ତି, ‘୨୦୨୩ ମସିହାରେ ଯେତେବେଳେ ଏଆଇଏଡିଏମ୍‌କେ  ବିଜେପି ସହିତ ସମ୍ପର୍କ ଭାଙ୍ଗିଲା, କର୍ମୀମାନେ ବାଣ ଫୁଟାଇଥିଲେ।’ ଆଜି ସେହି ଲୋକମାନେ ନୀରବ।

    ବିଜେପି ନେତା ଅମିତ ଶାହ ଏହି ମେଣ୍ଟକୁ ସ୍ୱାଭାବିକ ବୋଲି ବର୍ଣ୍ଣନା କରିଛନ୍ତି, କିନ୍ତୁ ଭୂମିଗତ ବାସ୍ତବତା ଭିନ୍ନ କାହାଣୀ କହୁଛି। ଉଭୟ ଦଳର ଭୂମିସ୍ତରୀୟ କର୍ମୀଙ୍କ ମଧ୍ୟରେ ଏବେ ବି ସମନ୍ୱୟର ଅଭାବ ଥିବା ପରି ମନେ ହେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଗତ କିଛି ବର୍ଷ ଧରି ପରସ୍ପରକୁ ସମାଲୋଚନା କରୁଥିବା ନେତା ଏବଂ କର୍ମୀମାନେ ଏବେ କିପରି ଏକାଠି କାମ କରିବେ ସେନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

    ଜଣେ ପୂର୍ବତନ ଏଆଇଏଡିଏମ୍‌କେ  ବିଧାୟକ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ (ଇପିଏସ୍) ଚୁକ୍ତିନାମାର ସର୍ତ୍ତାବଳୀ ରଖିଛନ୍ତି। ସଂଖ୍ୟାଲଘୁଙ୍କ ସହ ଜଡିତ ପ୍ରସଙ୍ଗରେ ବିଜେପି ଯେପରି ନିଜର ସୀମା ଲଙ୍ଘନ ନ କରେ ତାହା ନିଶ୍ଚିତ କରିବା ପାଇଁ ଏହାକୁ ଏକ ‘ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ’ରେ ରାଜି ହେବାକୁ ପଡିଛି। ଏହା ଦର୍ଶାଉଛି ଯେ, ଏଆଇଏଡିଏମ୍‌କେ ଏବେ ବି ନିଜର ଆଦର୍ଶଗତ ପରିଚୟକୁ ବଞ୍ଚାଇବାକୁ ଚେଷ୍ଟା କରୁଛି।

    ଏଆଇଏଡିଏମ୍‌କେ ଏବଂ ବିଜେପି ମେଣ୍ଟ ଡିଏମକେ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି। ରାଜନୈତିକ ବିଶ୍ଳେଷକମାନେ ଅନୁମାନ କରୁଛନ୍ତି ଯେ, ଯଦି ଏହି ମେଣ୍ଟ ଏକତ୍ରିତ ଭାବରେ ନିର୍ବାଚନ ଲଢ଼େ, ତେବେ ଏହା ଶାସକ ଡିଏମକେ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିବ। ୨୦୨୪ରେ ବିରୋଧୀ ଭୋଟର ବିଭାଜନ ଡିଏମକେ ଏବଂ ଏହାର ମେଣ୍ଟର ବିଜୟକୁ ଆଗେଇ ନେଇଥିଲା। ଏବେ ଯଦି ବିରୋଧୀ ଦଳ ଏକଜୁଟ ହୁଏ, ତେବେ ତାଙ୍କ ସପକ୍ଷରେ ୨୦୦ ପର୍ଯ୍ୟନ୍ତ ଆସନ ଦାବି କରାଯାଉଛି।

    ତେ‌ବେ ଡିଏମକେ ମଧ୍ୟ ଏହି ମେଣ୍ଟକୁ ହାଲୁକା ଭାବରେ ନେଉନାହିଁ। ଦଳର ନେତା ଏବଂ ସାଂସଦ କାନିମୋଝିଙ୍କ ବୟାନରୁ ସ୍ପଷ୍ଟ ଯେ, ଏମକେ ଷ୍ଟାଲିନଙ୍କ ଦଳ ସତର୍କ ହୋଇଯାଇଛି। କିନ୍ତୁ ୨୦୨୬ ନିର୍ବାଚନ ଆସିବା ପର୍ଯ୍ୟନ୍ତ ରାଜନୈତିକ ଚିତ୍ର କିପରି ହେବ ସେନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.8 ° C
    34.8 °
    34.8 °
    37 %
    4.8kmh
    100 %
    Tue
    40 °
    Wed
    43 °
    Thu
    43 °
    Fri
    41 °
    Sat
    41 °

    ସମ୍ବନ୍ଧିତ