ସାଉଥ ସୁପରଷ୍ଟାର ରାମ ଚରଣଙ୍କ ହାତରେ ଆଘାତ ଲାଗିଥିବା ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି । ତାଙ୍କ ହାତରେ ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ଖବର ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକମାନଙ୍କ ଚିନ୍ତାକୁ ବଢାଇଦେଇଛି ।
“ପେଡ୍ଡି” ଫିଲ୍ମ ପାଇଁ ଫାଇଟିଂ ସୁଟିଂ ଚାଲିଥିବା ସମୟରେ ରାମ ଚରଣଙ୍କ ହାତର ଶିରା ଛିଣ୍ଡିଯାଇଥିଲା । ଫିଲ୍ମର ପ୍ରମୋସନ ଯୋଗୁଁ ଅଭିନେତା ଅସ୍ତ୍ରୋପଚାରକୁ ସ୍ଥଗିତ ରଖିଥିଲେ । କିନ୍ତୁ ପ୍ରମୋସନ ଇଭେଣ୍ଟ ସମୟରେ ତାଙ୍କ ହାତରେ ପଟି ବାନ୍ଧିଥିବା ନଜର ଆସିଥିଲାବେଳେ ରବିବାର ରାମ ଚରଣଙ୍କୁ ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଅଭିନେତାଙ୍କର କୋଏମ୍ବାଟୁରର ଗଙ୍ଗା ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି । ଅସ୍ତ୍ରୋପଚାର ସମୟରେ ରାମ ଚରଣଙ୍କ ବାପା ଚିରଞ୍ଜିବୀ, ମାତା ସୁରେଖା, ପତ୍ନୀ ଉପାସନା କୋନିଡେଲା ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟ ତାଙ୍କ ସହିତ ରହିବେ ବୋଲି ଜଣାପଡିଛି ।
ଅନ୍ୟପଟେ ଏହି ଖବରକୁ ନିଶ୍ଚିତ କରି ଟ୍ରେଡ୍ ଆନାଲିଷିଷ୍ଟ ରମେଶ ବାଲା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ, କୋଏମ୍ବାଟୁରର ପ୍ରସିଦ୍ଧ ଗଙ୍ଗା ହସ୍ପିଟାଲରେ ମେଗା ପାୱାର ଷ୍ଟାର ରାମ ଚରଣଙ୍କ କଣ୍ଠ ଅସ୍ତ୍ରୋପଚାର ପାଇଁ ଶୁଭେଚ୍ଛା । ଏହି ସମୟରେ ମେଗାଷ୍ଟାର ଚିରଞ୍ଜିବୀ, ସୁରେଖା ଗାରୁ, ଉପାସନା ଏବଂ ପରିବାର ସଦସ୍ୟ ତାଙ୍କ ସହିତ ରହିବେ । ଆମେ ତାଙ୍କର ସଫଳ ଅସ୍ତ୍ରୋପଚାର ଏବଂ ଶୀଘ୍ର ଆରୋଗ୍ୟ କାମନା କରୁଛୁ । ଏଥିସହ ଅଭିନେତାଙ୍କ ପାଇଁ ପ୍ରଶଂସକମାନେ ଆରୋଗ୍ୟ କାମନା କରୁଥିବାବେଳେ ରାମ ଚରଣଙ୍କୁ ଅସ୍ତ୍ରୋପଚାର ପରେ କିଛି ସପ୍ତାହ ପାଇଁ ବିଶ୍ରାମ ନେବାକୁ ପଡିବ । ରାମ ଚରଣ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସୁଟିଂ ଆରମ୍ଭ ହେବ ।
