Thursday, October 15, 2026
23.8 C
Odisha

    ୫ ଓ ୬ ତାରିଖରେ ରାଜ୍ୟ BJP କାର୍ଯ୍ୟକାରିଣୀ, ଫୋକସରେ ପଞ୍ଚାୟତ ଓ ପୌର ନିର୍ବାଚନ

    ଆଗକୁ ପଢନ୍ତୁ

    କଟକ: ୫ ଓ ୬ ତାରିଖରେ କଟକରେ ହେବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ । ସଂଗଠନଠାରୁ ଆଗାମୀ ନିର୍ବାଚନ ନେଇ ଦୁଇ ଦିନ ଧରି ହେବ ମାନସ ମନ୍ଥନ । କଟକ ଇନଡୋର ଷ୍ଟାଡିୟମରେ ଏହି ବୈଠକ ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଦୁଇ ଦିନିଆ କାର୍ଯ୍ୟକାରିଣୀରେ ରାଜ୍ୟ ନେତୃତ୍ୱ ସହ କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ସାମିଲ ହେବେ। ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଉଭୟ ଦିନ ବୈଠକରେ ଉପସ୍ଥିତ ରହିବେ । ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ବି.ଏଲ୍. ସନ୍ତୋଷ ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି । ତାଙ୍କ ଗସ୍ତ ସମ୍ପର୍କରେ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ହେବ। ମନମୋହନ ସାମଲଙ୍କ କହିବା ଅନୁସାରେ, ବୈଠକରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ସାଂଗଠନିକ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହେବ । ଏହାସହ କେନ୍ଦ୍ରୀୟ ନେତୃତ୍ୱର ନିର୍ଦ୍ଦେଶରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ସେବା ସଂକଳ୍ପ ଅଭିଯାନ’ ଉପରେ ସ୍ୱତନ୍ତ୍ର ଫୋକସ୍ ରହିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କେତେଦୂର ଲୋକଙ୍କ ପାଖରେ ପହଞ୍ଚିଛି, ତାହାର ମଧ୍ୟ ସମୀକ୍ଷା କରାଯିବ ।

    ଯୋଜନାର ଲାଭ ତୃଣମୂଳସ୍ତରରେ ଲୋକଙ୍କୁ ମିଳୁଛି କି ନାହିଁ, କେଉଁଠି ଅଭାବ ରହିଛି ଏବଂ ସରକାରଙ୍କ କାର୍ଯ୍ୟକୁ କିପରି ଅଧିକ ପ୍ରଭାବଶାଳୀ ଭାବେ ଲୋକଙ୍କ ନିକଟକୁ ନିଆଯିବ, ଏସବୁ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ । ଏହି କାର୍ଯ୍ୟକାରିଣୀରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂଗଠନକୁ ତୃଣମୂଳସ୍ତରରେ କିପରି ଅଧିକ ସକ୍ରିୟ କରାଯିବ, ସେନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ବୁଥ୍ ଓ ମଣ୍ଡଳସ୍ତରରେ ସଂଗଠନର ସ୍ଥିତି, ଜିଲ୍ଲା ସଂଗଠନର କାର୍ଯ୍ୟ, ପଦାଧିକାରୀଙ୍କୁ ଦିଆଯାଇଥିବା ଦାୟିତ୍ୱର ଅଗ୍ରଗତି ଏବଂ ଆଗାମୀ ଦିନର ରୋଡମ୍ୟାପ୍ ଉପରେ ଚର୍ଚ୍ଚା ହୋଇପାରେ । ବିଶେଷକରି ଯୁବ ଓ Gen-Z ଭୋଟରଙ୍କ ସହ ଦଳର ସମ୍ପର୍କ କିପରି ବଢ଼ିବ, ସୋସିଆଲ ମିଡିଆ ଓ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସରକାରଙ୍କ କାମକୁ କିପରି ନୂଆ ପିଢ଼ି ପାଖରେ ପହଞ୍ଚାଯିବ, ତାହା ମଧ୍ୟ ଆଲୋଚନାରେ ଆସିପାରେ ।

    ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସେ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’କୁ ସଫଳ କରିବା ପାଇଁ ଜିଲ୍ଲାରୁ ବୁଥ୍ ପର୍ଯ୍ୟନ୍ତ ନେତା ଓ କର୍ମୀଙ୍କୁ ନିର୍ଦ୍ଦିଷ୍ଟ କାମ ଦିଆଯାଇପାରେ । କେଉଁ ନେତା କେଉଁ ଅଞ୍ଚଳ ଓ କେଉଁ କାର୍ଯ୍ୟକ୍ରମର ଦାୟିତ୍ୱ ନେବେ, ସେନେଇ ମଧ୍ୟ ଏହି ବୈଠକରେ ରୂପରେଖ ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ମନମୋହନ ସାମଲ ସ୍ପଷ୍ଟ କରିଛନ୍ତି ଯେ, ଯୋଗ୍ୟତା ଓ ଦକ୍ଷତାକୁ ଦେଖି ଦଳରେ ଦାୟିତ୍ୱ ବଣ୍ଟନ କରାଯିବ । ଏପ୍ରିଲ ୨୦୨୬ରେ ରାଜ୍ୟ କାର୍ଯ୍ୟକାରିଣୀ ପୁନର୍ଗଠନ ପରେ କଟକରେ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ଦୁଇ ଦିନିଆ କାର୍ଯ୍ୟକାରିଣୀ । ନୂଆ କମିଟିରେ ୭୨ ଜଣ କାର୍ଯ୍ୟକାରିଣୀ ସଦସ୍ୟ, ୩୮ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ଓ ୨୩ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ ଜିଲ୍ଲାସ୍ତରୀୟ ନେତାମାନେ ଏଥିରେ ସାମିଲ ହେବେ । ସୁନୀଲ ବଂଶଲ ଦୁଇ ଦିନ ଉପସ୍ଥିତ ରହିବା ଏବଂ ବି.ଏଲ୍. ସନ୍ତୋଷଙ୍କ ସମ୍ଭାବ୍ୟ ଯୋଗଦାନକୁ ଦେଖିଲେ, ଏହି ବୈଠକ କେବଳ ରାଜନୈତିକ ପ୍ରସ୍ତାବରେ ସୀମିତ ନରହି ସଂଗଠନର କାର୍ଯ୍ୟଦକ୍ଷତାର ଏକ ବଡ଼ ସମୀକ୍ଷା ହେବାର ସଙ୍କେତ ମିଳୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ