Wednesday, September 23, 2026
25.3 C
Odisha

    ଲେବାନନ୍‌ରେ ପଶିଲେ ଇସ୍ରାଏଲ ସ୍ଥଳସେନା: ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦୀ

    ଆଗକୁ ପଢନ୍ତୁ

    ବେରୁତ: ଲେବାନନ୍‌ରେ ଇସ୍ରାଏଲ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି। ଇସ୍ରାଏଲ ସ୍ଥଳ ‌ସେନା ଲେବାନନ୍‌ରେ ପଶି ଏଥିପାଇଁ ସତନ୍ତ୍ର ଅପରେସନ୍‌ ଆରମ୍ଭ କରିଛି। ସୋମବାର ସକାଳେ ଇସ୍ରାଏଲ-ଲେବାନନ୍‌ ସୀମା ନିକଟସ୍ଥ ଲେବାନନ୍‌ ପରିସରରେ ଇସ୍ରାଏଲ ସେନା ପକ୍ଷରୁ ସ୍ବତନ୍ତ୍ର ଅପରେସନ୍‌ ଆରମ୍ଭ ହୋଇଛି ବୋଲି ଆମେରିକୀୟ ଅଧିକାରୀ ସ୍ପଷ୍ଟ କରିଛନ୍ତି। ହେଜବୁଲ୍ଲାର ଦକ୍ଷତାକୁ ମାପିବା ପାଇଁ ଇସ୍ରାଏଲ ସେନା‌ ପକ୍ଷରୁ ଏହି ଅପରେସନ ଆରମ୍ଭ ହୋଇଛି। ଇସ୍ରାଏଲ ଆଗକୁ ଲେବାନନ୍‌ରେ ବଡ଼ ଧରଣର ଆକ୍ରମଣ କରିବାପାଇଁ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛି। ଇସ୍ରାଏଲୀ କମା‌ଣ୍ଡୋମାନେ ହେଜବୁଲ୍ଲା ଆଡ଼ାସ୍ଥଳକୁ ଟାର୍ଗେଟ୍‌ କରି ଲେବାନନ୍‌ ପରିସରକୁ ଅନୁପ୍ରବେଶ କରିଛନ୍ତି ଏବଂ ଅଞ୍ଚଳରେ ହେଜବୁଲ୍ଲା ପୋଷ୍ଟ୍‌କୁ ଧ୍ବଂସ କରିବାପାଇଁ ଏହି ଚଢ଼ଉ ହୋଇଛି। ଇତି ମଧ୍ୟ‌ରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟ୍‌ ଲେବାନନ୍‌ରେ ଇସ୍ରାଏଲ୍‌ ସ୍ଥଳ ସେନାର ଆକ୍ରମଣ ନେଇ ସଙ୍କେତ ଦେଇଛନ୍ତି।
    ଉତ୍ତର ଇସ୍ରାଏଲରେ ଗାଲ୍ଲାଣ୍ଟ୍‌ ଏକ ଟିପ୍ପଣୀ ଦେଇ କହିଛନ୍ତି ଯେ, ଆପଣମାନଙ୍କ ସମେତ ଆମେ ଆମର ସମସ୍ତ କ୍ଷମତା ଉପଯୋଗ କରିବୁ। ଅନ୍ୟପକ୍ଷେ ୨୦୦୬ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ କେନ୍ଦ୍ରୀୟ ବେରୁତ ଉପରେ ଆକ୍ରମଣ କରିଛି। ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ସ୍ଥଳ ସେନାର ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଛି। ହେଜବୁଲ୍ଲାର ଉପ ମୁଖ୍ୟ ନଇମ କ୍ବା‌ସେମ କହିଛନ୍ତି, ଏହି ଯୁଦ୍ଧ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ। ଲେବାନନ୍‌ ଉପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ୍‌ର ଘାତକ ଆକ୍ରମଣରେ ମୃତ ହେଜବୁଲ୍ଲା ମୁଖ୍ୟ ହସନ୍‌ ନସରାଲ୍ଲାର ମୃତଦେହ ଆଜି ଉଦ୍ଧାର ହୋଇଥିବା ବେଳେ ହମାସ୍‌ର ଅନ୍ୟତମ ପ୍ରମୁଖ ନେତା ଅବୁ ଅଲ୍‌ ଆମିନ୍‌ ନିଜର ପରିବାର ସହ ନିହତ ହୋଇଛି।

    ହମାସ୍‌ ପକ୍ଷରୁ କୁହାଯାଇଛି, ଲେବାନନ୍‌ରେ ଥିବା ହମାସ୍‌ ନେତା ତଥା ସଂଗଠନର ବିଦେଶ ବିଭାଗ ମୁଖ୍ୟ ଫତହା ସରିଫ୍‌ ଅବୁ ଅଲ ଆମିନ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଇରାନ୍‌ର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ନାସିର୍‌ କାହାନି କହିଛନ୍ତି, ଲେବାନନ୍‌କୁ ଇରାନ୍‌ ଅତିରିକ୍ତ ସେନା ସ୍ବେଚ୍ଛାସେବୀ ପଠାଇବ ନାହିଁ। ପ୍ରତିରକ୍ଷା ଓ ଆକ୍ରମଣର ମୁକାବିଲା ନିମନ୍ତେ ଲେବାନନ୍‌ ଓ ପାଲେଷ୍ଟାଇନ୍‌ର ଯୋଦ୍ଧାମାନଙ୍କ ନିକଟରେ ଯଥେଷ୍ଟ କ୍ଷମତା ରହିଛି।

    ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦୀ
    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ସଂପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ମୋଦୀ କହିଛନ୍ତି, ଶାନ୍ତି ପାଇଁ ଭାରତ ପ୍ରତିବଦ୍ଧ ରହିଛି। ବିଶ୍ବରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ। ନେତାନ୍ୟାହୁଙ୍କ ସହ ଆଲୋଚନା ସମୟରେ ପଶ୍ଚିମ ଏସିଆରେ ଘଟୁଥିବା ସ୍ଥିତି ସଂପର୍କରେ ମୋଦୀ ଚର୍ଚ୍ଚା କରିଥିବା କହିଛନ୍ତି। ଯୁଦ୍ଧକୁ ବନ୍ଦ କରିବା ଏବଂ ବନ୍ଧକ ଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ମୁକୁଳାଇବାକୁ ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଶୀଘ୍ର ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମସ୍ତ ଉଦ୍ୟମକୁ ସମର୍ଥନ କରୁଛି ଏବଂ ଏଥିପାଇଁ ଅଙ୍ଗୀକାରବଦ୍ଧ ବୋଲି ମୋଦୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.3 ° C
    25.3 °
    25.3 °
    94 %
    4.7kmh
    100 %
    Wed
    26 °
    Thu
    26 °
    Fri
    27 °
    Sat
    29 °
    Sun
    28 °

    ସମ୍ବନ୍ଧିତ