Tuesday, September 15, 2026
26 C
Odisha

    ପୁଣି ଅଶାନ୍ତ ହେଲାଣି ମଣିପୁର; ଅତିରିକ୍ତ ଏସପିଙ୍କୁ ଅପହରଣ ପରେ ଏବେ ପୋଲିସ କମାଣ୍ଡୋଙ୍କୁ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଣିପୁରର ଜଣେ ଅତିରିକ୍ତ ଏସପିଙ୍କୁ ଅପହରଣ କରାଯିବାର ଗୋଟିଏ ଦିନ ପରେ ମଣିପୁର ପୋଲିସ କମାଣ୍ଡୋଙ୍କ ଏକ ଗୋଷ୍ଠୀ ବୁଧବାର ଇମ୍ଫାଲରେ ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରି ଅସ୍ତ୍ରଶସ୍ତ୍ର ପକାଇଥିଲେ। ମଙ୍ଗଳବାର ପୋଲିସର ଅପରେସନ୍ ୱିଙ୍ଗରେ ନିୟୋଜିତ ଅତିରିକ୍ତ ଏସ୍ ପି ମୋଇରାଙ୍ଗଥେମା ଅମିତ ସିଂହଙ୍କୁ କିଛି ସଶସ୍ତ୍ର ବ୍ୟକ୍ତି ଅପହରଣ କରି ନେଇଥିଲେ। ତେବେ ଦୁଇ ଘଣ୍ଟା ଧରି ଚାଲିଥିବା ଅପରେସନ ପରେ ପୋଲିସ ଅଧିକାରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପୂର୍ବରୁ ଅତିରିକ୍ତ ଏସପି ହିଂସା ପ୍ରଭାବିତ ମଣିପୁରରେ ଏକ ସ୍ଥାନୀୟ ସଂଗଠନ ସହ ଜଡ଼ିତ କିଛି ଲୋକଙ୍କୁ ଅଟକ ରଖିବାକୁ ଚେଷ୍ଟା କରିଥିଲେ। ଏହାପରେ ପ୍ରାୟ ୨୦୦ ସଶସ୍ତ୍ର ବ୍ୟକ୍ତି ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଅପହରଣ କରି ନେଇଥିଲେ। ରାଜଧାନୀ ଇମ୍ଫାଲରେ ଆଜି ଅପରାହ୍ନରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଡଜନାଧିକ କମାଣ୍ଡୋ ନିଜ ୟୁନିଟ୍ ପରିସରରେ ଅସ୍ତ୍ରଶସ୍ତ୍ର ରଖିଥିବା ଦେଖିବାକୁ ମିଳିଛି। ସଶସ୍ତ୍ର ଦୁର୍ବୃତ୍ତଙ୍କ ମୁକାବିଲା ପାଇଁ ରାଜ୍ୟ ସରକାର ସେମାନଙ୍କୁ ମୁକ୍ତ ସୁଯୋଗ ଦେଉନଥିବାରୁ ଏହି ଲୋକମାନେ ଅସନ୍ତୁଷ୍ଟ ଅଛନ୍ତି। ତେବେ ମଣିପୁର ପୋଲିସର ଶୀର୍ଷ ଅଧିକାରୀମାନେ ଏ ନେଇ କୌଣସି ବୟାନ ଦେଇନାହାନ୍ତି। ଫେବୃଆରୀ ୨୭ ରେ ଅତିରିକ୍ତ ଏସପିଙ୍କ ବାସଭବନରେ ହୋଇଥିବା ଗୁଳିକାଣ୍ଡ ଘଟଣାକୁ ମଣିପୁର ପୋଲିସ ଏକ ବିବୃତିରେ ନିଶ୍ଚିତ କରିଛି। ଇମ୍ଫାଲ ପୂର୍ବ ଜିଲ୍ଲାର ପୋରୋମ୍ପଟ ଥାନା ଅଧୀନ ୱାଙ୍ଗଖେଇ ତୋପମ ଲେଇକାଇର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମୋଇରାଙ୍ଗଥାମ ଅମିତ ସିଂହଙ୍କ ବାସଭବନରେ ପ୍ରାୟ ୨୦୦ ଗାଡ଼ିରେ ସଶସ୍ତ୍ର ଦୁର୍ବୃତ୍ତମାନେ ପଶିଥିଲେ। ସଶସ୍ତ୍ର ଦୁର୍ବୃତ୍ତମାନେ ପୁଲିସ ଅଧିକାରୀଙ୍କ ବାସଭବନରେ ଥିବା ଘର ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି। ମଙ୍ଗଳବାର ମଣିପୁରରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବା ପରେ ସେନାକୁ ଡକାଯାଇଛି। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଇମ୍ଫାଲ ପୂର୍ବରେ ସେନା ଯବାନମାନେ ଆସାମ ରାଇଫଲ୍ସ ଏବଂ ସ୍ଥାନୀୟ ପୋଲିସ ସହ ସମନ୍ୱୟ ରକ୍ଷା କରି ଏହି ଅଭିଯାନ ଚଳାଇଛନ୍ତି। ଏହି ସମୟ ମଧ୍ୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅପହରଣ ମାମଲାରେ ଉଗ୍ରବାଦୀ ମେଇତେଇ ସଂଗଠନ ଆରାମବାଇ ତେଙ୍ଗଗୋଲଙ୍କ ସମ୍ପୃକ୍ତି ଥିବା କେତେକ ରିପୋର୍ଟରେ ଦର୍ଶାଯାଇଛି। ଆରାମବାଇ ତେଙ୍ଗଗୋଲ ଏକ ସଂଗଠନ ଯାହା କୁକି ଜନଜାତିର ସଦସ୍ୟଙ୍କ ଦ୍ୱାରା ବାରମ୍ବାର ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ମଣିପୁରରେ ଗତ ବର୍ଷ ମେ ୩ ତାରିଖରେ ଜାତିଗତ ହିଂସା ଆରମ୍ଭ ହେବା ପରଠାରୁ ଅଶାନ୍ତି ଲାଗି ରହିଛି। ଏହି ଜାତିଗତ ହିଂସାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ