Tuesday, September 29, 2026
22.7 C
Odisha

    ଓଡ଼ିଶାରେ ମନରେଗା ମଜୁରି ୨୫୪ ଟଙ୍କା: ଏପ୍ରିଲ୍‌ ୧ରୁ ଲାଗୁ ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ମଜୁରିରେ ବୃଦ୍ଧି ଘୋଷଣା କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ‌ଧାର୍ଯ୍ୟ ହୋଇଥିବା ନୂଆ ମଜୁରି ଅନୁସାରେ ଓଡ଼ିଶାରେ ମନରେଗାର ଦୈନିକ ମଜୁରି ୨୫୪ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୩-୨୪ରେ ତାହା ୨୩୭ ଟଙ୍କା ଥିଲା। ବର୍ଷକ ଭିତରେ ମଜୁରିରେ ୧୭ ଟଙ୍କାର ବୃଦ୍ଧି ହୋଇଛି। ସର୍ବଭାରତୀୟ ସ୍ତରରେ ମନରେଗା ମଜୁରିରେ ୩-୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏହି ନୂଆ ମଜୁରି ଏପ୍ରିଲ୍‌ ୧ରୁ ଲାଗୁ ହେବ।
    ଆଲୋଚ୍ୟ ବର୍ଷରେ ଜାତୀୟ ସ୍ତରରେ ହାରାହାରି ଦୈନିକ ମଜୁରି ୨୮୯ ଟଙ୍କା ହୋଇଛି ଯାହା ୨୦୨୩-୨୪ର ୨୬୧ ଟଙ୍କା ମଜୁରି ତୁଳନାରେ ୨୮ ଟଙ୍କା ଅଧିକ। କେନ୍ଦ୍ର ବିଜ୍ଞପ୍ତି ଅନୁସାରେ ଗୋଆରେ ମନରେଗା ମଜୁରି ୩୫୬ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୩୦୦ ଟଙ୍କା, ହରିୟାଣାରେ ୩୭୪ ଟଙ୍କା, କର୍ଣ୍ଣାଟକରେ ୩୪୯ ଟଙ୍କା, ପଞ୍ଜାବ ୩୨୨ ଟଙ୍କା, କେରଳରେ ୩୪୬ ଟଙ୍କା, ତେଲେଙ୍ଗାନାରେ ୩୦୦ ଟଙ୍କା ଏବଂ ତାମିଲନାଡ଼ୁରେ ୩୧୯ ଟଙ୍କାକୁ ବୃଦ୍ଧି ପାଇଛି। ଏହି ରାଜ୍ୟଗୁଡ଼ିକରେ ମନରେଗା ମଜୁରି ଓଡ଼ିଶାଠାରୁ ଅଧିକ ରହିଛି। ତ୍ରିପୁରା (୨୪୨ ଟଙ୍କା), ଉତ୍ତରପ୍ରଦେଶ (୨୩୭ ଟଙ୍କା), ପଶ୍ଚିମବଙ୍ଗ (୨୫୦ ଟଙ୍କା), ଉତ୍ତରାଖଣ୍ଡ (୨୩୭ ଟଙ୍କା), ମଧ୍ୟପ୍ରଦେଶ (୨୪୩ ଟଙ୍କା) ଏବଂ ଝା‌ଡ଼ଖଣ୍ଡ (୨୪୫ ଟଙ୍କା)ଠାରୁ ଓଡ଼ିଶାର ମନରେଗା ମଜୁରି ଅଧିକ ରହିଛି। ଉପଭୋକ୍ତା ମୂଲ୍ୟ ସୂଚୀ-କୃଷି ଶ୍ରମିକ ଆଧାରିତ ତଥ୍ୟ ଅନୁସାରେ ମନରେଗା ମଜୁରିରେ ପରିବର୍ତ୍ତନ କରାଯାଉଛି। ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିବାରୁ ନିର୍ବାଚନ କମିସନଙ୍କ ଅନୁମତି ଆଣି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମନରେଗାର ନୂଆ ମଜୁରି ଘୋଷଣା କରାଯାଇଛି। ମନରେଗା ଲାଗି ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌ରେ ୮୬,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ