Saturday, May 30, 2026
26.6 C
Odisha

    ଉତ୍ତର-ଦକ୍ଷିଣ ଲଢ଼େଇ! ଗୁରୁବାର ଶାହରୁଖ୍‌ଙ୍କ ‘ଡଙ୍କି’, ଶୁକ୍ରବାର ପ୍ରଭାସଙ୍କ ‘ସାଲାର’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଚଳିତ ସପ୍ତାହରେ ହଲ୍‌କୁ ଆସୁଛି ୨୦୨୩ ବର୍ଷର ଦୁଇଟି ବଡ଼ ବଲିଉଡ୍ ସିନେମା। ଗୁରୁବାର ଦିନ ବଲିଉଡ୍ ସୁପରଷ୍ଟାର ଶାହରୁଖ୍‌ ଖାଁଙ୍କ ‘ଡଙ୍କି’ ରିଲିଜ୍‌ ହେଉଥିବାବେଳେ ଦିନକ ପରେ ଅର୍ଥାତ୍‌ ଶୁକ୍ରବାରରେ ରିଲିଜ୍‌ ହେଉଛି ଦକ୍ଷିଣ ଭାରତୀୟ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’। ଫିଲ୍ମ ଦୁଇଟି ପାଇଁ ଲୋକଙ୍କ ଭିତରେ ଖୁବ୍ ଆଗ୍ରହ ରହିଛି। ତେବେ ଏକ ସମୟରେ ରିଲିଜ୍ ହେଉଥିବାରୁ ଦର୍ଶକ ଭାଗ ହୋଇଯିବାର ଆଶଙ୍କା ମଧ୍ୟ ରହିଛି। ଶାହରୁଖ୍ ଓ ପ୍ରଭାସଙ୍କ ଖ୍ୟାତି ଦୃଷ୍ଟିରୁ ଏହାକୁ ଭାରତୀୟ ଫିଲ୍ମ ଜଗତର ଏକ ବଡ଼ ଲଢ଼େଇ ବୋଲି କୁହା ଯାଉଛି। ଭୁବନେଶ୍ବରର ବିଭିନ୍ନ ହଲ୍‌ରେ ପ୍ରତିଦିନ ‘ଡଙ୍କି’ର ୬୭ଟି ସୋ’ ଲାଗିଥିବା ବେଳେ ‘ସାଲାର’ ମାତ୍ର ୨୩ଟି ସୋ’ର ସୁଯୋଗ ପାଇଛି। ‘ଡଙ୍କି’ର ମଜାଦାର କାହାଣୀ ଚାରିଜଣ ସାଙ୍ଗଙ୍କୁ ନେଇ ଗତିଶୀଳ। ପଞ୍ଜାବର ଏକ ଛୋଟ ଗାଁର ଚାରି ସାଙ୍ଗ ଇଂଲଣ୍ଡ ଯିବାକୁ ସ୍ବପ୍ନ ଦେଖିଛନ୍ତି।ହେଲେ ସେମାନଙ୍କ ପାଖରେ ଭିସା କିମ୍ବା ଟିକେଟ୍ ନାହିଁ। ଜଣେ ସୈନିକ ତାଙ୍କୁ ସେଠାରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦିଅନ୍ତି। ତା’ପରେ ଆରମ୍ଭ ହୋଇଛି ମରୁଭୂମି ଓ ସମୁଦ୍ର ଦେଇ ଇଂଲଣ୍ଡକୁ ଏକ ବିପଦପୂର୍ଣ୍ଣ ଯାତ୍ରାର ହାସ୍ୟସ୍ପଦ ଓ ହୃଦୟସ୍ପର୍ଶୀ ବର୍ଣ୍ଣନା ହେଉଛି ‘ଡଙ୍କି’। ଏଥିରେ ଶାହରୁଖ୍‌ଙ୍କ ସମେତ ବୋମନ ଇରାନି, ଭିକି କୌଶଲ୍‌, ବିକ୍ରମ କୋଚାର୍‌, ଅନୀଲ ଗୋଭର, ତାପସୀ ପନ୍ନୁଙ୍କ ଦମଦାର୍‌ ଅଭିନୟ ଦେଖିବାକୁ ମିଳିବ। ଅଭିଜାତ ଯୋଶୀ ଓ କନିକା ଧିଲୋଁ କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଶତପ୍ରତିଶତ ସଫଳତାର ରେକର୍ଡଧାରୀ ରାଜକୁମାର ହିରାନି। ଫିଲ୍ମଟିକୁ ଗୌରି ଖାଁଙ୍କ ରେଡ୍‌ ଚିଲ୍ଲି ଏଣ୍ଟରଟେନ୍‌ମେଣ୍ଟ ଓ ରାଜକୁମାର ହିରାନୀଙ୍କ ଆର୍‌ଏଚ୍‌ଏଫ୍‌ ପ୍ରଯୋଜନା କରିଛନ୍ତି। ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ୍‌ ଚକ୍ରବର୍ତ୍ତୀ।

    ଅନ୍ୟପକ୍ଷରେ ‘ସାଲାର୍ ପାର୍ଟ-୨ ସିଜ୍‌ ଫାୟାର୍‌’ର କାହାଣୀ ହଜାର ବର୍ଷ ପୁରୁଣା। କାଂଶାର ଜଙ୍ଗଲରେ ଗଢ଼ି ଉଠିଥିବା ସାମ୍ରାଜ୍ୟ ଓ ସିଂହାସନ ପାଇଁ ଚାଲିଥିବା ଚକ୍ରାନ୍ତ ଓ ଯୁଦ୍ଧ ଏହାର କେନ୍ଦ୍ରରେ ରହିଛି। ଫିଲ୍ମଟି ତେଲୁଗୁ, ହିନ୍ଦୀ, ମାଲାୟଲମ୍‌, କନ୍ନଡ଼ ଓ ତାମିଲ୍‌ ଭାଷାରେ ପରଦାକୁ ଆସୁଛି। ଏଥିରେ ପ୍ରଭାସଙ୍କ ସହ ଦକ୍ଷିଣୀ ସୁନ୍ଦରୀ ଶୃତି ହାସନ, ପ୍ରିଥିଭିରାଜ୍‌ ସୁକୁମାରନ୍‌, ଜଗାପତି ବାବୁ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ଥ ନୀଲ୍‌।
    ସାରା ଉତ୍ତର ଭାରତ ଭଳି ଭୁବନେଶ୍ବରରେ ‘ଡଙ୍କି’ର ସୋ’ ଅଧିକ ରହିଛି। ‘ଡ଼ଙ୍କି’ର ସୋ’ ସିନେପୋଲିସ ନେକ୍ସସ ଏସ୍‌ପ୍ଲାନେଡ୍‌ରେ ସକାଳ ୮ଟା ୩୦ରୁ ରାତି ୧୧ଟା ୩୦ ଯାଏ ସର୍ବାଧିକ ୨୨ଟି ରହିଛି। ବିଏମ୍‌ସି ଭବାନୀ ମଲ୍‌ରେ ସକାଳ ସାଢ଼େ ୮ଟାରୁ ରାତି ୧୧ଟା ୧୦ ଯାଏ ୧୦ଟି ସୋ, ଆଇନକ୍ସ ଡିଏନ୍‌ ରେଗାଲିଆ ମଲ୍‌ରେ ସକାଳ ସାଢ଼େ ୮ଟାରୁ ରାତି ୧୧ଟା ୩୦ ଯାଏ ୧୨ଟି ସୋ, ଆଇନକ୍ସ ସିମ୍ଫୋନି ମଲ୍‌ରେ ସକାଳ ୮ଟା ୨୦ରୁ ରାତି ୧୦ଟା ୫୫ ଯାଏ ୧୧ଟି ସୋ, ପିଭିଆର୍‌ ଉତ୍କଳ ଗ୍ୟାଲେରିଆରେ ୮ଟା ୩୫ରୁ ରାତି ୧୧ଟା ୧୫ ଯାଏ ୧୨ଟି ସୋ’ ପଡ଼ିଛି।

    ମୋଟ୍‌ ୬୭ଟି ସୋ’ ଦୈନିକ ରହିଥିବା ବେଳେ ୨୨୦ ଟଙ୍କାରୁ ୧୦୫୦ ଟଙ୍କା ଟିକେଟ୍‌ ଦର ରଖାଯାଇଛି। ସେହିପରି ‘ସାଲାର’ ପାଇଁ ପିଭିଆର୍‌ ଉତ୍କଳ ଗାଲେରିଆରେ ପ୍ରଥମ ଦିନର ସକାଳ ୮ଟା ୪୦ରୁ ରାତି ୧୧ଟା ୧୫ ଭିତରେ ଲାଗିଥିବା ୫ଟି ସୋ’ର ସବୁ ଟିକେଟ୍‌ ବିକ୍ରି ହୋଇ ସାରିଛି। ‌ସିନେପୋଲିସ ନେକ୍ସସ ଏସ୍‌ପ୍ଲାନେଡ୍‌ରେ ସକାଳ ୮ଟା ୪୦ରୁ ରାତି ୧୧ଟା ୧୫ ଯାଏ ୬ଟି ସୋ’, ବିଏମ୍‌ସି ଭବାନୀ ମଲ୍‌ରେ ସକାଳ ସାଢ଼େ ୮ଟାରୁ ରାତି ୧୧ଟା ୧୦ ଯାଏ ୫ଟି ସୋ’, ଆଇନକ୍ସ ଡିଏନ୍‌ ରେଗାଲିଆ ମଲ୍‌ରେ ସକାଳ ଅଧ୍ୟାହ୍ନ ୧୨ଟା ୧୫ରୁ ରାତି ୧୧ଟା ୧୫ ଯାଏ ୪ଟି ସୋ’, ଆଇନକ୍ସ ସିମ୍ଫୋନି ମଲ୍‌ରେ ଦିନ ୧୧ଟା ୪୦ରୁ ରାତି ୯ଟା ୫୦ ଯାଏ ୩ଟି ସୋ’ ଲାଗିଛି। ଏଥିସହ ଏସ୍‌ପ୍ଲାନେଡ୍‌ରେ ଅପରାହ୍ପ ୩.୫୦ରେ ଓ ଡିଏନ୍‌ ରେଗାଲିଆରେ ସକାଳ ୮ଟା ୩୫ରେ ଗୋଟିଏ ଲେଖାଏ ତାମିଲ ସୋ’ ରହିଛି। ଏହାର ଟିକେଟ୍‌ ଦାମ୍‌ ୨୮୦ ଟଙ୍କାରୁ ୭୦୦ ଟଙ୍କା ରହିଛି।

    ସୂଚନାଯୋଗ୍ୟ ଯେ ଅଧିକରୁ ଅଧିକ ହଲ୍ ପାଇବାଲାଗି ‘ଡଙ୍କି’ ଓ ‘ସାଲାର୍‌’ ଭିତରେ ରିଲିଜ୍‌ ବେଳକୁ ବିବାଦ ଆରମ୍ଭ ହୋଇ ଯାଇଛି। ଶାହରୁଖ୍‌ଙ୍କ ଅନୁରୋଧରେ ଦୁଇଟି ମଲ୍‌ଟି ପ୍ଲେକ୍ସ କମ୍ପାନି ଉତ୍ତର ଭାରତରେ ଥିବା ନିଜ ହଲ୍‌ଗୁଡ଼ିକରେ କେବଳ ‘ଡଙ୍କି’ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ପ୍ରତିବାଦରେ ସେ କମ୍ପାନିର ଦକ୍ଷିଣ ଭାରତରେ ଥିବା ହଲ୍‌ଗୁଡ଼ିକରେ ‘ସାଲାର୍’ ପ୍ରଦର୍ଶନ କରିବାକୁ ଦିଆଯିବ ନାହିଁ ବୋଲି ଫିଲ୍ମର କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ତେବେ ଶେଷ ମୁହୂର୍ତ୍ତରେ ଏ ମାମଲାରେ କିଛି ବୁଝାମଣା ହୋଇପାରେ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.6 ° C
    26.6 °
    26.6 °
    80 %
    3.3kmh
    100 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ