Sunday, May 31, 2026
27.5 C
Odisha

    ସ୍ବାଭିମାନର ବିଜୟ: ମୋଦୀଙ୍କ ହାଟ୍ରିକ୍‌, ଓଡ଼ିଶାରେ ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ୩ ମାସ ଶାସନରେ ପୂର୍ଣ୍ଣଛେଦ ପଡ଼ିଛି। ଚଳିତ ନିର୍ବାଚନରେ ଆଉ କାମ କଲାନି ନବୀନ ଯାଦୁ। ପରିବର୍ତ୍ତନ ସପକ୍ଷରେ ଯାଇ ବିଧାନସଭାରେ ବିଜେଡିକୁ କ୍ଷମତାଚ୍ୟୁତ କରିଛନ୍ତି ରାଜ୍ୟବାସୀ। ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି। ସରକାର ଗଢ଼ିବାର ମ୍ୟାଜିକ୍ ନମ୍ବର ୭୪ ଠାରୁ ଆଗକୁ ଚାଲିଯାଇଛି ବିଜେପି। ଲୋକସଭାରେ ମଧ୍ୟ ବିଜେପି ଆଶାତୀତ ସଫଳତା ପାଇଛି। ୨୧ରୁ ୧୯ ଆସନ ଦଖଲ କରିଛି ଦଳ। ବିଜେଡି ଓ କଂଗ୍ରେସକୁ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଜାତୀୟ ସ୍ତରରେ ଯେକୌଣସି ରାଜ୍ୟ ସହ ତୁଳନା କଲେ ଓଡ଼ିଶାରେ ବିଜେପିର ସଫଳତା ସର୍ବାଧିକ ରହିଛି।

    ନବୀନ ଯୁଗ ଶେଷ, କ୍ଷମତାଚ୍ୟୁତ କଲେ ଭୋଟର୍‌
    ୨୦୦୦ ମାର୍ଚ୍ଚ ୫ରୁ ଶାସନରେ ଥିଲା ବିଜେଡି
    ବହୁ ମନ୍ତ୍ରୀ, ଦିଗ୍ଗଜ ନେତାଙ୍କ ଶୋଚନୀୟ ପରାଜୟ
    ‘ଓଡ଼ିଶା ଅସ୍ମିତା’ ପ୍ରସଙ୍ଗକୁ ସ୍ବୀକୃତି, ଫୁଟିଲା ପଦ୍ମ
    ଘୋଷଣା କରିଥିଲେ ମୋଦୀ, ୧୦ରେ ଶପଥ

    ଆଜି ଭୋଟ୍ ଗଣତି ଆରମ୍ଭରୁ ହିଁ ବିଜେପିର ବିଜୟ ଧାରା ଆରମ୍ଭ ହୋଇଯାଇଥିଲା। ଦିନ ଗଡ଼ିବା ସହ ବିଜେପିର ପଲା ଭାରି ହେବାରେ ଲାଗିଥିଲା। ଲୋକସଭାରେ ଦଳ ଏକପାଖିଆ ବିଜୟ ଆଡ଼କୁ ମାଡ଼ିଚାଲିଥିଲା। ବିଧାନସଭାରେ ଧୀରେ ଧୀରେ ବିଜେପି ଆଗକୁ ବଢ଼ୁଥିଲା। ବିଜେଡିର ବହୁ ହେଭିୱେଟ୍‌ ଜଣଙ୍କ ପରେ ଜଣେ ପଛକୁ ଠେଲି ହୋଇଯାଉଥିଲେ। ଅପରାହ୍ନ ୨ଟା ସୁଦ୍ଧା ମ୍ୟାଜିକ୍ ନମ୍ବର ଛୁଇଁଯାଇଥିଲା ବିଜେପି। ସନ୍ଧ୍ୟା ବେଳକୁ ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ବିଜେଡି ନୁହେଁ, ବିଜେପି ହିଁ ଏବେ ରାଜ୍ କରିବ। ବିଜେଡି ଗଠନ ହେଲା ପରେ କୌଣସି ନିର୍ବାଚନରେ ସବୁଠାରୁ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି ଦଳ। ତିନି ଚତୁର୍ଥାଂଶ ଆସନରେ ନିଶ୍ଚିତ ବିଜୟର ଦୃଢ଼ୋକ୍ତି ଭାଙ୍ଗି ଚୂର୍‌ମାର୍‌ ହୋଇଯାଇଛି। ନିଜେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରେ ପରାଜୟର ସାମ୍ନା କରିଛନ୍ତି। ନିଜର ପୁରୁଣା ଆସନ ହିଞ୍ଜିଳିରେ ଜିତିଛନ୍ତି ସତ, କିନ୍ତୁ ବିଜୟ ବ୍ୟବଧାନ ଅତି ନଗଣ୍ୟ। ଅଧାରୁ ଅଧିକ ମନ୍ତ୍ରୀ ହାରିଯାଇଛନ୍ତି। ବହୁ ପୁରୁଖା ନେତା ଚିତ୍‌ପଟାଙ୍ଗ ମାରିଛନ୍ତି। ଦଳ ପାଇଁ ଏକା ପ୍ରଚାର କରି ସବୁ ଶ୍ରେୟ ନେବାକୁ ଆଶା ରଖିଥିବା ଭି କେ ପାଣ୍ଡିଆନ୍‌ଙ୍କ ରଣନୀତି ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଶ୍ରେୟ ନେବା ତ ଦୂରର କଥା, କ୍ଷମତା ବଞ୍ଚାଇବାକୁ ବି ସେ ସକ୍ଷମ ହୋଇପାରି ନାହାନ୍ତି।

    କ୍ରମାଗତ ତୃତୀୟ ଥର
    ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦୀ
    ନେହରୁଙ୍କ ପରେ ଏହି
    ଗୌରବ ହାସଲ କରିବେ
    ୪୦୦ ଲକ୍ଷ୍ୟ ହାସଲ କରିପାରିଲାନି ଏନ୍‌ଡିଏ, ୩୭୦ରୁ ଦୂରରେ ବିଜେପି
    ଏକାକୀ ସରକାର ଗଠନ କରିବା ସ୍ଥିତିରେ ନାହିଁ ବିଜେପି
    ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡ଼ୁ, ଏକନାଥ ସିନ୍ଧେ ହିଁ ଭରସା

    ବିଜେଡି ସହ ମେଣ୍ଟକୁ ପ୍ରତ୍ୟାଖ୍ୟାନ ସହ ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ନିର୍ବାଚନକୁ ଓହ୍ଲାଇବା ବିଜେପି ପାଇଁ ସଫଳ ସାବ୍ୟସ୍ତ ହୋଇଛି। ଓଡ଼ିଶାରେ ଶାସନ, ପ୍ରଶାସନ ଓ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜୁତିକୁ ବେଶ୍ ପ୍ରଭାବୀ ଢଙ୍ଗରେ ଲୋକଙ୍କ ପାଖରେ ଉପସ୍ଥାପନ କରିପାରିଛି ଦଳ। ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ନେଇ ବିଜେଡି ଯେତେ ପ୍ରଚାର କରିବାକୁ ଚେଷ୍ଟା କରିଥିଲେ ବି ତାହା ଆଉ କାମ ଦେଲାନି। ‘ଓଡ଼ିଆ ଅସ୍ମିତା’ର ମାପକାଠିରେ ଭୋଟର୍‌ମାନେ ଦୁଇ ପ୍ରମୁଖ ଦଳକୁ ତଉଲିଲା ବେଳେ ଏଥିରେ ବିଜେଡି ବହୁ ପଛରେ ପଡ଼ିଯାଇଛି। ଗୋଟିଏ ଆଞ୍ଚଳିକ ଦଳ ଓଡ଼ିଆ ଅସ୍ମିତାକୁ ରକ୍ଷା କରିବାରେ କେଉଁଠି ନା କେଉଁଠି ବିଫଳ ହୋଇଛି ବୋଲି ଭୋଟର୍ ଅନୁଭବ କରିଛନ୍ତି। କଂଗ୍ରେସ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିବ ବୋଲି ସମସ୍ତେ ପୂର୍ବାନୁମାନ କରୁଥିଲେ। କିନ୍ତୁ ସେପରି ହୋଇନାହିଁ। ଗତ ଥର ଠାରୁ କଂଗ୍ରେସର ଆସନ ସଂଖ୍ୟା ବଢ଼ିଛି। ଫଳାଫଳ ପ୍ରକାଶ ପାଇଲା ପରେ ବିଜେପି ଶିବିରରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଦଳର ନେତା ଓ କର୍ମୀମାନେ ଖୁସି ମନାଉଛନ୍ତି। ବିଜେଡି ଶିବିରରେ ଅସମ୍ଭବ ନିରବତା ଛାଇଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    60 %
    2.7kmh
    49 %
    Sun
    26 °
    Mon
    38 °
    Tue
    40 °
    Wed
    41 °
    Thu
    42 °

    ସମ୍ବନ୍ଧିତ