Friday, September 25, 2026
24.2 C
Odisha

    ପୁଣି ଭୁଶୁଡ଼ିଲା ଶୀର୍ଷକ୍ରମ: ମୁଣ୍ଡ ଉପରେ ଝୁଲୁଛି ଫଲୋଅନ୍ ଖଣ୍ଡା

    ଆଗକୁ ପଢନ୍ତୁ

    ବ୍ରିସବେନ୍: ଭାରତୀୟ ଶୀର୍ଷକ୍ରମ ପୁଣି ଥରେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ବିନା ଲଢ଼େଇରେ ଆତ୍ମସମର୍ପଣ କରିଛି। ଲଗାତାର ଭାବେ ପ୍ରଥମ ଓଭରରେ ୱିକେଟ୍ ହରାଇ ସଙ୍କଟ ଘେରରେ ଫସିଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆର ୪୪୫ ରନ୍‌କୁ ପିଛା କରି ଜୟସ୍ବାଲ, ଗିଲ୍, କୋହଲି ଓ ପନ୍ତ ମାତ୍ର ୪୪ ରନ୍ ଭିତରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ବ୍ରିସ୍‌ବେନ୍ ଟେଷ୍ଟ୍‌ରେ ଫଲୋଅନ୍ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏମାନେ ସମସ୍ତେ ଏକ ଅଙ୍କ ଆଗକୁ ବଢ଼ି ନପାରିବା ପରେ ଭାରତର ପାଳି ଅଗ୍ରଣୀ ସ୍ବପ୍ନ ବି ପୂରା ଧୂଳିସାତ୍ ‌ହୋଇଯାଇଛି। ବରଂ ବର୍ଷା ପ୍ରଭାବିତ ବ୍ରିସ୍‌ବେନ୍ ଟେଷ୍ଟ୍‌ରେ ଫଲୋଅନ୍ ଏଡ଼ାଇବା ଭାରତ ପାଇଁ କାଠିକର ପାଠ ହୋଇଛି। ଏହି ଲଜ୍ଜାଜନକ ସ୍ଥିତିରୁ ବାହାରିବାଠାରୁ ଭାରତ ଏବେବି ୨୪୬ ରନ୍ ଦୂରରେ ରହିଛି। କଠିନ ପରିସ୍ଥିତିରେ କେବଳ କେଏଲ୍ ରାହୁଲ (୩୩*ରନ୍, ୬୪ ବଲ୍)ଙ୍କ ଅପରାଜେୟ ଲଢ଼େଇ ଦଳର କିଛିଟା ସମ୍ମାନ ରଖିଛି। ସୋମବାର ବାରମ୍ବାର ବର୍ଷା ପାଇଁ ଆଗୁଆ ଖେଳ ବନ୍ଦ ହେବା ବେଳକୁ ତାଙ୍କ ସହ ଅଧିନାୟକ ରୋହିତ ଶର୍ମା ୬ ବଲ୍ ଖେଳି ବିନା କୌଣସି ରନ୍‌ରେ ଅପରାଜିତ ରହିଛନ୍ତି। ତୃତୀୟ ଦିନ ଖେଳ ଶେଷ ବେଳକୁ ଭାରତ ୪ ୱିକେଟ୍ ବିନିମୟରେ ୫୧ ରନ୍ କରି ଭାରତ ଘରୋଇ ଅଷ୍ଟ୍ରେଲିଆଠାରୁ ମୋଟ ଉପରେ ୩୯୪ ରନ୍‌ରେ ପଛୁଆ ରହିଛି।
    ଟେଷ୍ଟ୍ କ୍ରିକେଟ୍ ଇତିହାସର ସର୍ବାଧିକ ବର୍ଷା ବ୍ୟାଘାତ ହୋଇଥିବା ଦିନରେ ସୋମବାର ମାତ୍ର ୩୩.୧ ଓଭରର ଖେଳ ସମ୍ଭବ ହୋଇଥିଲା। ବର୍ଷା ପାଇଁ ଆଜି ୮ଥର ଖେଳ ବନ୍ଦ ହୋଇ ପୁଣି ଥରେ ଆରମ୍ଭ ହୋଇଥିଲା। ସେଥିମଧ୍ୟରେ କିନ୍ତୁ ଅଷ୍ଟ୍ରେଲିଆ ନିଜ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରି ନେଇଥିଲା। ୭ ୱିକେଟ୍ ବିନିମୟରେ ୪୦୫ ରନ୍ କରି ଦ୍ବିତୀୟ ଦିନରେ ହିଁ ଦୃଢ଼ ସ୍ଥିତି‌ରେ ପହଞ୍ଚି ଯାଇଥିବା ଅଷ୍ଟ୍ରେଲିଆର ଲାଞ୍ଜକାଟିବାକୁ ଭାରତୀୟ ବୋଲର ବରାବର ସଂଘର୍ଷ କରିଥିଲେ। ଫଳରେ କଙ୍ଗାରୁ ଦଳ ତା’ର ଶେଷ ୩ ୱିକେଟ୍‌ରେ ବହୁମୂଲ୍ୟ ୪୦ ରନ୍ ଯୋଡ଼ି ନିଜ ପ୍ରଥମ ପାଳି ସ୍କୋର୍‌କୁ ୪୪୫ ରନ୍‌କୁ ଟାଣି ନେଇଥିଲା। ଆଲେକ୍ସ ‌କ୍ୟାରି (୭୦)ଙ୍କୁ ଆଉଟ୍ କରି ଯଶପ୍ରୀତ୍ ବୁମ୍‌ରା ନିଜ ଷଷ୍ଠ ୱିକେଟ୍ ହାସଲ କରିଥିଲେ। ସେ ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ୫୦ ୱିକେଟ୍ ନେବାର ରେକର୍ଡ ଛୁଇଁଥିଲେ।

    ଏହା ପରେ ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍ ଓ ପ୍ୟାଟ୍ କମିନ୍ସ ଅଗ୍ନିବର୍ଷୀ ବୋଲିଂ କରି ଭାରତକୁ ଆରମ୍ଭରୁ ଦୋହଲାଇ ଦେଇଛନ୍ତି। ଜୟସ୍ବାଲ୍‌ଙ୍କୁ ଷ୍ଟାର୍କ ଦ୍ବିତୀୟ ବଲ୍‌ରେ ଆଉଟ୍ କରିବା ପରେ ମାତ୍ର ୧୦ଟି ବଲ୍ ପରେ ଶୁବମନ୍ ଗିଲ୍‌କୁ ଶିକାର କରି ନେଇଥିଲେ। ଜୋସ୍ ହାଜେଲଉଡ୍‌ଙ୍କ ଅଫ୍ ଷ୍ଟମ୍ପ ବାହାରେ ଥିବା ବଲ୍‌କୁ ବୁଝି ନପାରି ବିରାଟ କୋହଲି ପୁଣି ଥରେ ଷ୍ଟମ୍ପ ପଛ ପଟେ ଧାରାପଡ଼ିଥିଲେ। ଗତ ଗସ୍ତରେ ଭାରତ ହାସଲ କରିଥିବା ଐତିହାସିକ ବିଜୟର ନାୟକ ଋଷଭ ପନ୍ତଙ୍କୁ କମିନ୍ସ ୧୨ ରନ୍ ପରେ ପ୍ୟାଭିଲିୟନ ଫେରାଇ ଭାରତ ବିପର୍ଯ୍ୟୟର ଅନ୍ୟତମ କାରଣ ପାଲଟିଥିଲେ। ବ୍ରିସ୍‌ବେନ୍‌ରେ ଆଉ ମାତ୍ର ଦୁଇ ଦିନର ଖେଳ ବାକି ରହିଛି। ତେବେ ଭାରତୀୟ ଦଳ ଯେମିତି ଦୁର୍ବଳ ବ୍ୟାଟିଂ କରୁଛି, ସେଥିରେ ଅଷ୍ଟ୍ରେଲିଆ ନାଟକୀୟ ବିଜୟ ହାସଲ କରି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବାର ସମ୍ଭାବନା ଦିଶୁଛି। ଅନ୍ୟପକ୍ଷରେ ଲଗାତାର ଭାବେ ପ୍ରଥମ ପାଳିରେ ବିଫଳ ହୋଇ ଆସୁଥିବା ଭାରତ ବର୍ଷା ଓ ନିମ୍ନକ୍ରମ ଭରସାରେ ରହିଛି। ମଙ୍ଗଳବାର ଯଦି ଭାରତର ପ୍ରଥମ ପାଳି ୨୯୭ ରନ୍ ପୂର୍ବରୁ ଶେଷ ହୋଇଯାଏ, ତାହେଲେ ଟିମ୍ ଇଣ୍ଡିଆ ୨୦୦୧ ମସିହାର ଇଡେନ୍ ଗାର୍ଡେନ୍ ଟେଷ୍ଟ୍ ପରେ ଅଷ୍ଟ୍ରେଲିଆ ସମ୍ମୁଖରେ ପ୍ରଥମ ଥର ପାଇଁ ଫଲୋଅନ୍ ଖେଳିବ।

    ସଂକ୍ଷିପ୍ତ ସ୍କୋର୍: ଅଷ୍ଟ୍ରେଲିଆ ପ୍ରଥମ ପାଳି ୧୧୭.୧ ଓଭରରେ-୪୪୫ (ଟ୍ରାଭିସ୍ ହେଡ୍ ୧୫୨, ଷ୍ଟିଭେନ୍ ସ୍ମିଥ୍ ୧୦୧, ଆଲେକ୍ସ କ୍ୟାରି ୭୦, ଯଶପ୍ରୀତ୍‌ ବୁମ୍‌ରା ୬/୭୬, ମହମ୍ମଦ ସିରାଜ ୨/୯୭, ନୀତୀଶ କୁମାର ରେଡ୍ଡୀ ୧/୬୫)। ଭାରତ ପ୍ରଥମ ପାଳି ୧୭ ଓଭରରେ-୫୧/୪ (କେଏଲ୍ ରାହୁଲ ୩୩*, ବିରାଟ କୋହଲି ୩, ଋଷଭ ପନ୍ତ ୯,ମିଚେଲ ଷ୍ଟାର୍କ ୨/୨୫, ଜୋସ୍ ହାଜେଲଉଡ୍ ୧/୧୭, ପ୍ୟାଟ୍ କମିନ୍ସ ୧/୭)।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    96 %
    5.3kmh
    100 %
    Thu
    24 °
    Fri
    28 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ