Monday, October 19, 2026
21.9 C
Odisha

    ଆସୁଛି ପଶ୍ଚିମା ଝଡ଼, ଆଜିଠୁ ୨ ଦିନ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ବା ଶନିବାର ଠାରୁ ଦୁଇ ଦିନ ବର୍ଷା ହେବ। ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉତ୍ତର-ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଦୁଇ ଦିନ ତଳେ ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷାରେ ରାଜ୍ୟର ହଜାର ହଜାର ଏକର ଚାଷ ପ୍ରଭାବିତ ହୋଇଥିଲା। ଏ ନେଇ ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାଶ ତାଙ୍କ ସୋସିଆଲ୍‌ ମିଡିଆ ହାଣ୍ଡେଲ୍‌ରେ ସୂଚନା ଦେବା ପରେ ପାଣିରେ ଲୋଟୁଥିବା ଧାନଗଛକୁ ଛାଣି ଆଣି କିଛି ଅମଳ କରିବାକୁ ଆଶା‌ ରଖିଥିବା ଚାଷୀ ଚିନ୍ତାରେ ପଡ଼ିଛନ୍ତି।
    ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଅନୁରୂପ ଆକଳନ କରିଛି। ପଶ୍ଚିମା ଝଡ଼ ପ୍ରଭାବରେ ୨୮ ତାରିଖରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ସୋନପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। ୨୯ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି।

    ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ କଥା କହିଛନ୍ତି। ଦକ୍ଷିଣପୂର୍ବ ବଙ୍ଗୋପସାଗରର ସୁମାତ୍ରା ଠାରେ ସୃ‌ଷ୍ଟି ହୋଇଥିବା‌ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବ ନାହିଁ। ବରଂ ଏହା ଶ୍ରୀଲଙ୍କା ତଥା ଦକ୍ଷିଣ ତାମିଲନାଡ଼ୁ ଆଡ଼କୁ ମୁହାଁଇବ। ଏଣୁ ଏହି ପଶ୍ଚିମାଝଡ଼ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୨୮ରୁ ୩୧ ପର୍ଯ୍ୟନ୍ତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କେବଳ ପାଗ ମେଘୁଆ ରହିବ। ଗୁରୁବାର ରାତିରୁ ତାପମାତ୍ରା କମିବ ଓ ଶୀତ ବଢ଼ିବ। ନୂଆବର୍ଷ ‌ବେଳକୁ କେତେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ଛୁଇଁବା ସମ୍ଭାବନା ରହିଛି। ତା’ ଛଡ଼ା ଆଜି ରାତିରୁ ଭୁବନେଶ୍ବର ସମେତ ଅନେକ ଜାଗାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା ପ୍ରଭାବିତ ହେବ। ଜାନୁଆରି ୩ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ଅଧିକ ଘନୀଭୂତ ହେବ। କିନ୍ତୁ ଏବେ ଠାରୁ ଏହାର ରୂପରେଖ ବାବଦରେ କହିବା ମୁସ୍କିଲ। ତେବେ ଡିସେମ୍ବର, ଜାନୁଆରିରେ ଏଭଳି ଅଧିକ ଲଘୁଚାପ ସ୍ବାଭାବିକ ନୁହେଁ ବୋଲି ସେ କହିଛନ୍ତି।

    ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୧୧ ମିମି ବର୍ଷା ରେକର୍ଡ କରାଯାଇଥିଲା। ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୩.୮ଡିଗ୍ରି ରହିଥିଲା। ଘନକୁହୁଡ଼ି ଯୋଗୁ ବଲ‌ାଙ୍ଗୀରରେ ସବୁଠାରୁ କମ୍‌ ଦୃଶ୍ୟତା ୮୦ ମିଟର ରହିଥିଲା। ଆସନ୍ତାକାଲି ବା ଶୁକ୍ରବାର ଘନ କୁହୁଡ଼ି ପାଇଁ କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ତିନିଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରି କମିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ