ଭୁବନେଶ୍ୱର : ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଚଳଚ୍ଚିତ୍ରର ମୁକ୍ତି ଉପରେ ରୋକ ଲଗାଇବାକୁ ଦାଖଲ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ବିଚାରପତି ବି.ଭି. ନାଗରତ୍ନା ଓ ବିଚାରପତି ଆର୍. ମହାଦେବନଙ୍କ ଖଣ୍ଡପୀଠ ପୂର୍ବରୁ ଜୁଲାଇ ୧୭ରେ ଦିଆଯାଇଥିବା ଆଦେଶକୁ ବଳବତ୍ତର ରଖି କହିଛନ୍ତି, ରଥଯାତ୍ରା ଶେଷ ପରେ ଫିଲ୍ମ ମୁକ୍ତି ପାଇବାରେ କୌଣସି ବାଧା ନାହିଁ । ଶୁଣାଣି ବେଳେ ମନ୍ଦିର ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଭଗବାନ ଜଗନ୍ନାଥଙ୍କୁ ଆନିମେଟେଡ୍ ବା ‘କାର୍ଟୁନ’ ରୂପରେ ଦେଖାଇବା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଛି । କିନ୍ତୁ ଏହାକୁ ଖଣ୍ଡନ କରି ସୁପ୍ରିମକୋର୍ଟ ମୌଖିକ ଭାବେ କହିଥିଲେଯେ କେତେକ ଲୋକଙ୍କ ସମ୍ବେଦନଶୀଳତାକୁ ଆଧାର କରି କଳା ଓ ସୃଜନଶୀଳତା ଉପରେ ରୋକ ଲଗାଯାଇପାରିବ ନାହିଁ । ଏପରି ହେଲେ ରାମାୟଣ, ମହାଭାରତ ଭଳି ମହାକାବ୍ୟ ଉପରେ ଆଧାରିତ ସମସ୍ତ କଳାକୃତି, ଚିତ୍ର, ଟେଲିଭିଜନ ଧାରାବାହିକ ଓ ସାହିତ୍ୟ ମଧ୍ୟ ବନ୍ଦ କରିବାକୁ ପଡ଼ିବ । ବିଚାରପତି ବି.ଭି. ନାଗରତ୍ନା କହିଥିଲେ, ଆନିମେସନ ଫିଲ୍ମ ମୁଖ୍ୟତଃ ଶିଶୁମାନଙ୍କ ପାଇଁ ତିଆରି ହୁଏ ଏବଂ ସୃଜନଶୀଳ କାର୍ଯ୍ୟ ପୂର୍ବରୁ ନିର୍ମାତାମାନେ ବ୍ୟାପକ ଗବେଷଣା କରିଥାନ୍ତି । କେବଳ କିଛି ଲୋକଙ୍କ ଆପତ୍ତି ଆଧାରରେ କଳାକାରଙ୍କ ସୃଜନଶୀଳତାକୁ ବନ୍ଦୀ କରିହେବ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ, ମନ୍ଦିର କମିଟି ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଥିଲେ ଯେ, ନିର୍ମାତା ପୂର୍ବରୁ ବିଶେଷ ପ୍ରଦର୍ଶନୀ ପରେ ଆପତ୍ତିଜନକ ଦୃଶ୍ୟରେ ପରିବର୍ତ୍ତନ କରିବେ ବୋଲି କହିଥିଲେ, କିନ୍ତୁ ସେହି ପ୍ରତିଶ୍ରୁତି ପାଳନ କରିନାହାନ୍ତି । ଫିଲ୍ମରେ ମହାପ୍ରଭୁଙ୍କୁ ‘ଡୋରେମନ୍’ ଓ ‘ସ୍ପାଇଡରମ୍ୟାନ୍’ ପରି ଉପସ୍ଥାପନ କରାଯାଇଥିବା ଅଭିଯୋଗ ମଧ୍ୟ ସେ ଆଣିଥିଲେ । ତେବେ ନିର୍ମାତା ସଂସ୍ଥା ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବଦତ୍ତ କାମତ କୋର୍ଟଙ୍କୁ କହିଥିଲେ ଯେ, କୌଣସି ପରିବର୍ତ୍ତନର ପ୍ରତିଶ୍ରୁତି ଦିଆଯାଇନଥିଲା । ଶେଷରେ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି, ନିର୍ମାତା ନିଜ ବିବେକ ଅନୁସାରେ ଚାହିଲେ ପରିବର୍ତ୍ତନ କରିପାରିବେ, କିନ୍ତୁ ଏହାର ବିଚାର କରିବାକୁ କୋର୍ଟ ବସିବେ ନାହିଁ ।
